ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ଓକିଲ,ଦୀପକ ପଟ୍ଟନାୟକ ଆଣିଛନ୍ତି ବଡ଼ ଅଭିଯୋଗ । ପୀତବାସଙ୍କ ସିକ୍ରେଟ ଚ୍ୟାମ୍ବରରୁ ମିଳିଥିବା ପେନଡ୍ରାଇଭ୍ କୁଆଡ଼େ ଗଲା ବୋଲି ବିକ୍ରମଙ୍କ ଓକିଲ ପ୍ରଶ୍ନ କରିଛନ୍ତି । ତାକୁ କଣ ପାଇଁ କୋର୍ଟରେ ଦାଖଲ କରାଯାଇ ନାହିଁ ବୋଲି ଓକିଲ ଅଭିଯୋଗ କରିଛନ୍ତି । ପୀତବାସ ପଣ୍ଡାଙ୍କ ହତ୍ୟା ପରେ ତାଙ୍କ ଦେହରେ ଥିବା ପଇତାରୁ ଗୋଟିଏ ଚାବି ମିଳିଥିଲା । ସେ ଚାବିରେ ପୀତବାସଙ୍କ ବାସଭବନରେ ଥିବା ଏକ ସିକ୍ରେଟ ଚ୍ୟାମ୍ବର ଖୋଲାଯାଇଥିଲା । ପୀତବାସଙ୍କ ପତ୍ନୀ ସୁସ୍ମିତାଙ୍କ ଉପସ୍ଥିତିରେ ଚ୍ୟାମ୍ବର ଖୋଲାଯାଇ ସେଥିରୁ ଗୋଟିଏ ପେନ୍ ଡ୍ରାଇଭ୍ ମିଳିଥିଲା ।ସେହି ପେନ୍ ଡ୍ରାଇଭ୍ ପୋଲିସ ଜବତ କରିଥିଲା । ସେଥିରେ ବିକ୍ରମ ପଣ୍ଡାଙ୍କ ଆପତ୍ତି ଜନକ ଫଟୋ ଥିବା କୁହାଯାଉଛି । ଯେଉଁଥିରେ ସେ ଜଣେ ମହିଳାଙ୍କ ସହିତ ଶୋଇଛନ୍ତି ଓ ତା ସହିତ ମଦ ଗ୍ଲାସ୍ ମଧ୍ୟ ଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ସେହି ପେନ୍ ଡ୍ରାଇଭକୁ କାହିଁକି ପୋଲିସ କୋର୍ଟରେ ପ୍ରମାଣ ସ୍ୱରୂପ ଦାଖଲ କରି ନାହିଁ ବୋଲି ଓକିଲ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏଆଇରେ ଅନେକ ଫଟୋ ଆସୁଛି । ସେହି ପେନ୍ ଡ୍ରାଇଭ ଏବଂ ଫଟୋକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଉ ବୋଲି ଓକିଲ ଦାବି କରିଛନ୍ତି ।














