କଟକ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ଚୌଦ୍ୱାର ଜେଲରୁ କଏଦୀ ଫେରାର ମାମଲାରେ ଦୀର୍ଘ ୪ ମାସ ପରେ ଜଣେ କଏଦୀକୁ ଧରିବାରେ ପୋଲିସ ସଫଳ ହୋଇଛି । ଫେରାର କଏଦୀ ହେଉଛନ୍ତି ମଧୁକାନ୍ତ ରାଣା । କମିଶନରେଟ୍ ପୋଲିସ ଉତ୍ତର ପ୍ରଦେଶ ମଥୁରାର ଏକ ମଠରେ ଲୁଚି ଥିବାବେଳେ ତାଙ୍କୁ ଗିରଫ କରିଛି । ଆଉ ଜଣେ କଏଦୀ ରାଜା ସାହାଣୀ ଏବେବି ଫେରାର ରହିଛି । ମଧୁକାନ୍ତ ଏବଂ ରାଜା ଯାଜୁପର ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ଲୁଟ୍ ଏବଂ ଦୁଇ ଜଣଙ୍କୁ ହତ୍ୟା କରିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ୨୦୨୫, ଜାନୁୟାରୀ ୪ ତାରିଖରେ ଯାଜପୁର ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାରରୁ ଲୁଟ୍ ହୋଇଥିଲା ଓ ଲୁଟେରାଙ୍କ ଗୁଳି ମାଡ଼ରେ ବିଦ୍ୟୁତ ବିଭାଗର ଜଣେ ଡ୍ରାଇଭର ନୀଳମାଧବ ପଣ୍ଡା ଓ ଦୋକାନ ମାଲିକ ସୁନୀଲ ରାୟଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଜଣକୁ କାବୁ କରି ପୋଲିସ ଜିମା ଦେଇଥିଲେ ଓ ଅନ୍ୟମାନେ ଫେରାର ହୋଇ ଯାଇଥିଲେ । ସେମାନଙ୍କୁ ପ୍ରଥମେ ଯାଜପୁର ଜେଲରେ ରଖାଯାଇଥିଲା ଓ ସେଠାରେ ଫେରାର ହେବାକୁ ଉଦ୍ୟମ କରିବାରୁ ସେମାନଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।














