ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ଆଜି ସମ୍ପନ୍ନ ହୋଇଛି। କଟକର ସତୀଚଉରାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ଗୀତା ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। କିଛିଦିନ ପୂର୍ବରୁ ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ସେ କଟକର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗତ ଗୁରୁବାର ରାତିରେ ଭୁବନେଶ୍ୱରରେ ଏକ ସାହିତ୍ୟ ସଭାରେ ଯୋଗଦେଇଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ ଓ ପରେ ରାତି ପ୍ରାୟ ୧ଟା ସମୟରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଥିଲେ। ସୂଚନା ଅନୁଯାୟୀ ରବିବାର ସକାଳେ ତାଙ୍କର ଅବସ୍ଥା ଅତ୍ୟନ୍ତ ଜଟିଳ ହୋଇ ପଡ଼ିଥିଲା ଏବଂ ସନ୍ଧ୍ୟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ପ୍ରାୟ ୧୫ଟି ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ୧୯୭୦ରୁ ଶୁଣିବାକୁ ମିଳିଥିଲା ତାଙ୍କ ସୁରିଲା ସ୍ୱର । ୧୯୭୧ ମସିହାରେ ସେ ଆକାଶବାଣୀର ଜଣେ ସ୍ୱୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ମଧ୍ୟ ହୋଇଥିଲେ। ଅକ୍ଷୟ ମହାନ୍ତିଙ୍କ ଅନେକ ଗୀତରେ କଣ୍ଠଦାନ ମଧ୍ୟ କରିଥିଲେ ।













