ରାଜ୍ୟରେ ମହିଳା ନିର୍ଯାତନା ଓ ମହିଳା ବିରୋଧୀ ଅପରାଧ ନିୟନ୍ତ୍ରଣ କରିବା ଏବେ ପୁଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ୨୦୨୫ରୁ ବର୍ଷକ ମଧ୍ୟରେ ରାଜ୍ୟରେ ୧୩ ହଜାର ୨୬୨ ଯୁବତୀ ଓ ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ୨୯୯୬ ଜଣ ଦୁଷ୍କର୍ମ, ୧୧୫ଜଣ ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଛନ୍ତି। ବର୍ଷକରେ ୭ ହଜାର ୩୮୨ ଜଣ ଅସଦାଚରଣର ଶିକାର ହୋଇଛନ୍ତି । ୭୦୨ ଜଣ ଯୁବତୀ ଓ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା ମାମଲା ହୋଇଛି। ୭୫୭ ଜଣଙ୍କୁ ନିର୍ଯାତନା ଦିଆଯାଇଛି। ୧୨୭ ଜଣଙ୍କ ଅଶ୍ଳୀଳଫଟୋ ଓ ଭିଡିଓ କରି ନିର୍ଯାତନା ଦିଆଯାଇଛି। ୭୩୭୮ଜଣଙ୍କୁ ଅପହରଣ କରାଯାଇଛି ।ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି। ଯୌତୁକ ପାଇଁ ୧୪୫ଜଣଙ୍କ ମହିଳାଙ୍କୁ ହତ୍ୟା, ୭୭ଜଣ ଆତ୍ମହତ୍ୟା କରିଛନ୍ତି। ୪,୩୬୧ ଜଣ ମହିଳା ନିର୍ଯାତନାର ଶିକାର ହୋଇଛନ୍ତି। ଜଣେ ମହିଳାଙ୍କୁ ଏସିଡ୍ ମାଡ଼ କରାଯାଇଛି। ୧୧୧ ମାନବ ଚାଲାଣ ରିପୋର୍ଟ ହୋଇଛି। ସର୍ବସାଧାରଣସ୍ଥଳରେ ୧,୪୪୮ ମହିଳା ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ଓ ଅନ୍ୟକାରଣ ପାଇଁ ୫୪୧୯ ଜଣଙ୍କୁ ନିର୍ଯାତନା ଦିଆଯାଇଛି ।














