ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସହ କୋର୍ଟ ପରିସରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଧମକପୂର୍ଣ୍ଣ ସୂଚନା ପାଇବା ପରେ ସମ୍ବଲପୁରର ବରିଷ୍ଠ ପୋଲିସ ଅଧିକାରୀ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଏସଡିପିଓ ଏବଂ ବିଭିନ୍ନ ଥାନାର ଆଇଆଇସି କୋର୍ଟ ପରିସରରେ ପହଞ୍ଚିଛନ୍ତି। ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର ସହାୟତାରେ କୋର୍ଟର କୋଣ ଅନୁକୋଣକୁ ଯାଞ୍ଚ କରାଯାଇଛି। ସନ୍ଦେହଜନକ ବସ୍ତୁ ଉପରେ କଡ଼ା ନଜର ରଖାଯାଇଛି। ବାରମ୍ବାର ଏଭଳି ଧମକ ମିଳୁଥିବାରୁ କୋର୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀ, ଓକିଲ ଏବଂ କୋର୍ଟକୁ ଆସୁଥିବା ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ଏଭଳି ଧମକ ମିଳିଥିଲା । ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ।














