ରବିବାର ସେଣ୍ଟ୍ରାଲ ନେପାଳରେ ଓଲଟିଲା ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍। ଏଥିରେ ୭ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ, ୯ ଜଣ ଆହତ ହୋଇଛନ୍ତି। ଭାରତୀୟ ତୀର୍ଥଯାତ୍ରୀମାନେ ନେପାଳର ପ୍ରସିଦ୍ଧ ମନକାମନା ମନ୍ଦିର ପରିଦର୍ଶନ କରି ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି। ପୋଲିସ କହିଛି ବସଟି ଘାଟିରେ ତଳକୁ ଆସୁଥିବା ସମୟରେ ଏକ ବୁଲାଣିରେ ପଲଟିଯିବାରୁ ପ୍ରାୟ ୧୫୦ ମିଟର ତଳକୁ ଖସିପଡ଼ିଥିଲା। ତେବେ ତୁରନ୍ତ ସ୍ଥାନୀୟ ଲୋକ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆହତଙ୍କ ମଧ୍ୟରେ ୭ ଜଣ ଭାରତୀୟ ଅଛନ୍ତି ।ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଆହତଙ୍କ ମଧ୍ୟରେ ଜଣେ ନେପାଳୀ ବସ୍ ଡ୍ରାଇଭର ଏବଂ ତାଙ୍କ ସହଯୋଗୀ ଅଟନ୍ତି। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି।













