କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀ ଯେ କି ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ତହସିଲଦାର ବିଭୁ ପ୍ରସାଦଙ୍କୁ ହତ୍ୟା ଧମକ ଦେବା ପରେ ତାଙ୍କୁ ପୋଲିସ ଖୋଜୁଛି । ବିଧାୟିକାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପୋଲିସ ଚଢ଼ଉ କରିଛି । ଆଜି ସକାଳେ କେସିଙ୍ଗା ଥାନା ପୋଲିସ ବିଧାୟିକା ମନୋରମା ମହାନ୍ତିଙ୍କ ବାସଭବନରେ ଚଢ଼ଉ କରିଛି କିନ୍ତୁ ତାଙ୍କ ସ୍ୱାମୀଙ୍କୁ ପାଉନାହିଁ ପୋଲିସ । ବିନା ୱାରେଣ୍ଟରେ ପୋଲିସ ବିଧାୟିକାଙ୍କ ବାସଭବନରେ ପ୍ରବେଶ କରିଥିବା ବିଜେଡ଼ି ଅଭିଯୋଗ କରିଛି । ସେଥିପାଇଁ ବିଜେଡ଼ି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ସଭାପତି ଇପ୍ସିତା ସାହୁ ଓ ମନ୍ମଥ ରାଉତରାୟଙ୍କ ସମେତ ଅନ୍ୟ ବିଜେଡି ନେତା ଏହି ଘଟଣାକୁ ବିରୋଧ କରିଛନ୍ତି । ସେହିପରି ବିଧାୟିକାଙ୍କ ସହାୟିକା ମଧ୍ୟ ଅଭିଯୋଗ ଆଣିଛନ୍ତି । ସହାୟିକା ଏକୁଟିଆ ଘରେ ଥିବା ବେଳେ ବିନା ସୂଚନାରେ ପୋଲିସ ଘରକୁ ଯାଇଥିଲା ବୋଲି ସେ କହିଛନ୍ତି । ଗତକାଲି ବିଧାୟିକାଙ୍କ ସ୍ୱାମୀ ଭୁବନେଶ୍ୱରରେ ଗୋଟିଏ ହୋଟେଲରେ ଥିଲେ । ପୋଲିସକୁ ଦେଖି ସେ ସେଠାରୁ ପଳାଇଥିଲେ । ସୂଚନା ଅନୁଯାୟୀ , ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନ୍ ମାଧ୍ୟମରେ ହତ୍ୟା ଧମକ ଦେଇଥିଲେ । ଗତ ମାର୍ଚ୍ଚ ୧୫ ତାରିଖରେ ଏନେଇ ତହସିଲଦାର କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏବେ ପୋଲିସ ବିଧାୟିକାଙ୍କ ସ୍ୱା୍ମୀଙ୍କୁ ଖୋଜୁଛି ।













