ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ନୀତିଶ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ନୀତିଶ କୁମାର ପ୍ରାୟ ୨୦ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ଶାସନକାଳରେ ଅନେକ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଏବେ ୨୦ ବର୍ଷ ପରେ ବିହାରକୁ ଜଣେ ନୂଆ ମୁଖ୍ୟମନ୍ତ୍ରୀ ମିଳିବେ। ଏହାପରେ ସେ ନିଜର ସୋସିଆଲ ମିଡିଆ Xରେ ଏକ ପୋଷ୍ଟ ଲେଖି କହିଛନ୍ତି ଯେ, “ଏବେ ନୂଆ ସରକାର ଏଠାରୁ କାମ ବୁଝିବେ। ନୂଆ ସରକାରଙ୍କୁ ମୋର ସମ୍ପୂର୍ଣ୍ଣ ସହଯୋଗ ଓ ମାର୍ଗଦର୍ଶନ ରହିବ। ଆଗକୁ ମଧ୍ୟ ବହୁତ ଭଲ କାମ ହେବ ଏବଂ ବିହାର ବହୁତ ଆଗକୁ ବଢ଼ିବ। ସେ ଲେଖିଛନ୍ତି, ଆପଣ ଜାଣନ୍ତି ଯେ ୨୪ ନଭେମ୍ବର ୨୦୦୫ରେ ରାଜ୍ୟରେ ପ୍ରଥମ ଥର ପାଇଁ NDA ସରକାର ଗଠନ ହୋଇଥିଲା। ସେବେଠାରୁ ରାଜ୍ୟରେ ଆଇନର ଶାସନ ଚାଲିଛି ଏବଂ ଆମେ କ୍ରମାଗତ ଭାବେ ବିକାଶ କାର୍ଯ୍ୟରେ ନିୟୋଜିତ ଅଛୁ। ସରକାର ଆରମ୍ଭରୁ ହିଁ ସମସ୍ତ ବର୍ଗର ବିକାଶ କରିଛନ୍ତି – ସେ ହିନ୍ଦୁ ହେଉ, ମୁସଲିମ ହେଉ, ଉଚ୍ଚ ଜାତି, ପଛୁଆ ବର୍ଗ, ଅତି ପଛୁଆ ବର୍ଗ, ଦଳିତ କିମ୍ବା ମହାଦଳିତ – ସମସ୍ତଙ୍କ ପାଇଁ କାମ କରାଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ବିଦ୍ୟୁତ ଓ କୃଷି ପରି ପ୍ରତିଟି କ୍ଷେତ୍ରରେ ବିକାଶ ହୋଇଛି। ମହିଳା ଏବଂ ଯୁବକମାନଙ୍କ ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି। ଆଗାମୀ ପାଞ୍ଚ ବର୍ଷ ଅର୍ଥାତ୍ ୨୦୨୫ ରୁ ୨୦୩୦ ପାଇଁ ‘୭ ନିଶ୍ଚୟ-୩’ ଯୋଜନା ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ବିହାର ଆହୁରି ଆଗକୁ ଯିବ।”
ନୀତିଶ କହିଛନ୍ତି ଯେ, ବିହାରର ବିକାଶରେ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳୁଛି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ସ୍ଥିର କରିଥିଲି ଯେ ଏବେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବି, ତେଣୁ ଆଜି ମନ୍ତ୍ରିମଣ୍ଡଳ ବୈଠକ ପରେ ରାଜ୍ୟପାଳଙ୍କୁ ଇସ୍ତଫା ଦେଇଛି। ଏବେ ନୂଆ ସରକାର କାମ କରିବେ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ଶୁଭକାମନା।”ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଶିବରାଜ ସିଂ ଚୌହାନ ଏବଂ ବିନୋଦ ତାୱଡେଙ୍କ ସମେତ ଅନ୍ୟ ନେତାମାନେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ। ଏହି ନେତାମାନେ ନୀତିଶ କୁମାରଙ୍କୁ ଭେଟି ବିଜେପିର ଆଧିକାରିକ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। ବହୁତ୍ ଶୀଘ୍ର
ବିହାରର ମୁଖ୍ୟମନ୍ତ୍ରୀ ଗାଦିରେ କିଏ ବସିବ ତାହା ସ୍ପଷ୍ଟ ହୋଇଯିବ।

LEAVE A REPLY

Please enter your comment!
Please enter your name here