ଆସନ୍ତା ୨୭ ଏପ୍ରିଲରେ ଭୁବନେଶ୍ୱରରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ। ସକାଳ ୭ଟାରୁ ଦିନ୧୨ଟା ପର୍ଯ୍ୟନ୍ତ ୟୁନିଟ-୨ ଅଶୋକ ନଗରସ୍ଥିତ କ୍ୟାପିଟାଲ ନର୍ସରୀ ନିକଟର ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ହେବ। ସାଧାରଣ ଲୋକେ ଏହି ଅବସରରେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ନିଜ ଅଭିଯୋଗ ଓ ସମସ୍ୟା ଉଠାଇପାରିବେ। ଏହା ଜନସହଭାଗିତାକୁ ବଢ଼ାଇବା ସହ ଶାସନରେ ପ୍ରତିଦାୟିତ୍ୱକୁ ଆହୁରି ମଜବୁତ କରିବ। ଏହି ଜନଶୁଣାଣୀ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆସନ୍ତାକାଲି ୨୨ ଏପ୍ରିଲ ସକାଳ ୧୧ଟାରୁ ଆରମ୍ଭ ହେବ। ନାଗରିକମାନେ ଜନଶୁଣାଣୀ ପୋର୍ଟାଲ କିମ୍ବା ମୋବାଇଲ ଆପ୍ ମାଧ୍ୟମରେ ନାମ ଲେଖାଇପାରିବେ। ଅଭିଯୋଗକାରୀମାନେ ସଭାକୁ ଆସିବା ବେଳେ ପରିଚୟ ପତ୍ର ଓ ସମ୍ପର୍କିତ ଦଲିଲ ନେଇ ଆସିବାକୁ ଅନୁରୋଧ କରାଯାଇଛି। ସରକାର ପକ୍ଷରୁ ଲୋକମାନଙ୍କୁ ଆହ୍ୱାନ କରାଯାଇଛି ଯେ, ପ୍ରଶାସନ, କଳ୍ୟାଣ ଓ ଉନ୍ନତି ସମ୍ପର୍କିତ ଯେକୌଣସି ସମସ୍ୟା ଏହି ମଞ୍ଚରେ ଉଠାନ୍ତୁ।













