ଆଜି ରାଉରକେଲାରେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ରାଷ୍ଟ୍ରପତି ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟଅଟକଳରେ ଚାରିଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଥି ମଧ୍ୟରେ ୪୮ କୋଟିର ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ୪୦ କୋଟିର ଆଦିବାସୀ ସଂଗ୍ରହାଳୟ, ୪୨.୪୪ କୋଟିର ନିର୍ମଳ ମୁଣ୍ଡା ପ୍ରବେଶ ପଥ ଓ ୨୭ କୋଟିର ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍‌ ରହିଛି। ରାଉରକେଲା ରାଷ୍ଟ୍ରପତି ଜନସଭାରେ କହିଛନ୍ତି ଯେ, ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମହାନ। ସୁନ୍ଦରଗଡ଼ର କଳା ସଂସ୍କୃତି ଓଡ଼ିଶାକୁ ପରିପୂର୍ଣ୍ଣ କରିଛି। ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ସଂଗ୍ରାମ ପାଇଁ ବି ପରିଚିତ। ନିର୍ମଳ ମୁଣ୍ଡାଙ୍କ ସଂଗ୍ରାମ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ପରିବେଶ ପଥକୁ ନିର୍ମଳ ମୁଣ୍ଡାଙ୍କ ନାଁରେ ନାମିତ ଖୁସି କରିଛି। ହକିରେ ସୁନ୍ଦରଗଡ଼ ସାରା ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଦିଲ୍ଲୀପ ତିର୍କୀ, ଲାଜରୁସ ବାର୍ଲାଙ୍କ ପରି ଖେଳାଳି ଗୌରବ ବଢ଼ାଇଛନ୍ତି। ଆଦିବାସୀ ଓ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦେଇ ରାଷ୍ଟ୍ରପତି କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅଧିକରୁ ଅଧିକ ଏକଲବ୍ୟ ସ୍କୁଲମାନ ପ୍ରତିଷ୍ଠା କରାଯାଉଛି। ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଜନଜାତିଙ୍କ ପାଇଁ କାର୍ଯ୍ୟ କରୁଛି। ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କୁ ଆଗକୁ ନେବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ, ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟ ବେଶ୍ ପ୍ରଶଂସନୀୟ ରହିଛି। ମହିଳାଙ୍କ ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ରାଷ୍ଟ୍ରପତି। ମହିଳାଙ୍କ ବିକାଶ ବିନା ବିକଶିତ ଭାରତ ସ୍ବପ୍ନ ପୂରଣ ହୋଇପାରିବନି। ଓଡ଼ିଶାରେ କାର୍ଯ୍ୟ କରୁଥିବା ‘ସୁଭଦ୍ରା’ ଯୋଜନା ମହିଳାଙ୍କୁ ଆଗକୁ ନେବ। ଏଥିସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବିଭିନ୍ନ ସାମଗ୍ରୀ ଓ ଖାଦ୍ୟ ପ୍ରଦର୍ଶିତ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ। ମହିଳା ଏସଏଚଜି ଗ୍ରୁପ ମହିଳାମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।

LEAVE A REPLY

Please enter your comment!
Please enter your name here