ଓଡ଼ିଶା ହାଇକୋର୍ଟ ଜମି କିଣାବିକା ପରେ ଏକପାଖିଆ ଭାବେ ଦଲିଲକୁ ରଦ୍ଦ କରିବା ନେଇ ଉଠିଥିବା ବିବାଦରେ ଦେଇଛନ୍ତି ଏକ ଦୃଢ଼ ସନ୍ଦେଶ। ଏହି ମାମଲାର ଶୁଣାଣୀ କରି ଅଦାଲତ ଆବେଦନକାରିଣୀଙ୍କୁ ସିଭିଲ କୋର୍ଟର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି । ମାମଲାର ପରିପ୍ରେକ୍ଷ୍ୟରେ, ରଶ୍ମିତା ସାହୁଙ୍କ ନାମରେ ୨୦୦୮ ଏପ୍ରିଲ ୨୮ରେ ଏକ ବିକ୍ରୟ ଦଲିଲ ପଞ୍ଜିକୃତ ହୋଇଥିଲା। କିନ୍ତୁ ୨୦୧୧ ସେପ୍ଟେମ୍ବର ୨୬ରେ ବିକ୍ରେତା ଜଣେ ଏକପାଖିଆ ଭାବେ ସେହି ଦଲିଲକୁ କ୍ୟାନ୍ସଲେସନ ଡିଡ୍ ମାଧ୍ୟମରେ ରଦ୍ଦ କରିଦେଇଥିଲେ। ଏବଂ ଏହି ପଦକ୍ଷେପ ବିଷୟରେ ଆବେଦନକାରିଣୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ପରେ ଇନ୍କମ୍ବ୍ରାନ୍ସ ସର୍ଟିଫିକେଟ୍ ମାଧ୍ୟମରେ ସେ ଏହା ସମ୍ପର୍କରେ ଜାଣିଥିଲେ।ଏହାକୁ ବେଆଇନ ଓ ଭ୍ରମାତ୍ମକ ବୋଲି ଅଭିଯୋଗ କରି ସେ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ। ତେବେ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ବେଞ୍ଚ ସ୍ପଷ୍ଟ କରିଦେଲେ ଯେ, ‘ରେଜିଷ୍ଟ୍ରେସନ ଆକ୍ଟ, ୧୯୦୮’ ଅନୁଯାୟୀ ଥରେ ଦଲିଲ ପଞ୍ଜୀକୃତ ହୋଇଗଲେ, ସବ୍-ରେଜିଷ୍ଟ୍ରାର କିମ୍ବା ଇନ୍ସପେକ୍ଟର ଜେନେରାଲଙ୍କ ପାଖରେ ତାହାକୁ ରଦ୍ଦ କରିବାର କୌଣସି ଅଧିକାର ନାହିଁ। ଅଦାଲତ କହିଛନ୍ତି ଯେ ରେଜିଷ୍ଟ୍ରିଂ ଅଫିସରଙ୍କ କାମ କେବଳ ପ୍ରଶାସନିକ ସୀମାଭିତ୍ତିକ। ସେମାନେ ଦଲିଲର ମାଲିକାନା ବା ଟାଇଟଲ ବିଷୟରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଏହି ରାୟ ସ୍ପଷ୍ଟ କରୁଛି ଯେ ଦଲିଲ ରଦ୍ଦ ନେଇ ବିବାଦ ହେଲେ ତାହାର ସମାଧାନ ପାଇଁ ସିଭିଲ କୋର୍ଟ ହିଁ କରିବ ।













