ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୁଧବାର ଦିନ ୭ଟି ବିଭାଗର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ରାଜ୍ୟରେ ସ୍ୱତନ୍ତ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ସ୍ଥାପନ ସହ ୩୫୮ଟି ପୁରୁଣା ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଅନୁମୋଦନ ମିଳିଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ରାଜ୍ୟରେ ଆବିଷ୍କୃତ ହୋଇଥିବା ପ୍ରାଚୀନ ମନ୍ଦିର ଓ କୀର୍ତ୍ତରାଜିଗୁଡ଼ିକର ସୁରକ୍ଷା,ସୁପରିଚାଳନା ତଥା ସଂରକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ‘ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ’ ସ୍ଥାପନ କରାଯିବ। ଏହାସହିତ ପ୍ରତ୍ନତତ୍ତ୍ୱ୍ୱିକ କ୍ୟୁରେଟର ସେବାର ପୁନର୍ଗଠନ କରାଯାଇ ନୂତନ ‘ଓଡ଼ିଶା ପ୍ରତ୍ନତତ୍ତ୍ୱିକ କ୍ୟୁରେଟର ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬’କୁ ଅନୁମୋଦନ ମିଳିଛି, ଯାହା ଗବେଷଣା ଓ ଐତିହ୍ୟର ପ୍ରଚାର ପ୍ରସାରରେ ବିଶେଷ ସହାୟକ ହେବ। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଅଧୀନରେ ଥିବା ପୁରୁଣା ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଆଇନ, ୧୯୮୨କୁ ଉଚ୍ଛେଦ କରାଯାଇ ନୂତନ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ ନିୟନ୍ତ୍ରଣ ଅଧିନିୟମ, ୨୦୨୬ ପ୍ରଣୟନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ନୂତନ ବିଧେୟକ ମାଧ୍ୟମରେ ସାମୁଦ୍ରିକ ସମ୍ପଦର ସଂରକ୍ଷଣ, ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବିକାର ସୁରକ୍ଷା ଏବଂ ଗଭୀର ସମୁଦ୍ରରେ ମାଛଧରା କାର୍ଯ୍ୟକୁ ନିୟନ୍ତ୍ରିତ କରାଯିବ। ଏଥିସହିତ ବେଆଇନ ମାଛଧରା ରୋକିବା ପାଇଁ ଟ୍ରାନ୍ସପଣ୍ଡର ଓ ଭେସେଲ୍ ଟ୍ରାକିଂ ଭଳି ଆଧୁନିକ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବା ସହ ୨୦୩୬ ସୁଦ୍ଧା ୨୫ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଲକ୍ଷ୍ୟ ହାସଲ ପାଇଁ ମାର୍ଗ ପ୍ରଶସ୍ତ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟବସାୟିକ କାରବାରକୁ ସହଜ ଓ ସରଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ‘ଓଡ଼ିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ଆଦେଶ, ୧୯୭୯’କୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରିବା ପାଇଁ ନୂତନ ରିପିଲ୍ ଆଦେଶ, ୨୦୨୬କୁ ଅନୁମୋଦନ ମିଳିଛି। ଏହାଦ୍ୱାରା ଖୁଚୁରା ଡିଜେଲ ଆଉଟଲେଟଗୁଡ଼ିକୁ ପୁନର୍ବାର ବିଭିନ୍ନ ବିଭାଗରୁ ଅନାପତ୍ତି ପ୍ରମାଣପତ୍ର ନେବାକୁ ପଡ଼ିବ ନାହିଁ, ଯଦିଓ ବିକ୍ରୟ ପ୍ରକ୍ରିୟା ପୂର୍ବଭଳି ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଦ୍ୱାରା ପରିଚାଳିତ ହେବ। ପ୍ରଶାସନିକ ସଂସ୍କାରକୁ ଆଗକୁ ନେଇ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ନିୟନ୍ତ୍ରଣାଧୀନ ଜିଲ୍ଲା ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ପାଇଁ ସ୍ୱତନ୍ତ୍ର ଅମଲା ସେବା ନିୟମାବଳୀ, ୨୦୨୬କୁ ମଞ୍ଜୁରୀ ଦିଆଯାଇଛି। ପୂର୍ବରୁ ଏହି ପଦବୀଗୁଡ଼ିକ ରାଜସ୍ୱ କ୍ୟାଡର ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏବେ ଚାରୋଟି ସ୍ତରରେ ମୋଟ ୧୦୩୨ଟି ପଦବୀ ସୃଷ୍ଟି କରାଯାଇ ସେଗୁଡ଼ିକର ନିଯୁକ୍ତି ଓ ପଦୋନ୍ନତି ସମ୍ପୃକ୍ତ ବିଭାଗ ଅଧୀନକୁ ଅଣାଯାଇଛି। ୬୩୦ଟି କନିଷ୍ଠ ସହାୟକ ଓ ୨୪୯ଟି ବରିଷ୍ଠ ସହାୟକ ପଦବୀ ଏଥିରେ ସାମିଲ ରହିଛି। ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଇନ ବିଭାଗର ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟ ଓ ଜିଲ୍ଲା କୋର୍ଟଗୁଡ଼ିକରେ କାର୍ଯ୍ୟରତ କୋର୍ଟ ମ୍ୟାନେଜରମାନଙ୍କ ସେବା ନିୟମିତିକରଣ ପାଇଁ ନୂତନ ନିୟମ ପ୍ରଣୟନ କରାଯାଇଛି, ଯାହା ପ୍ରଶାସନିକ ଦକ୍ଷତା ବୃଦ୍ଧି କରିବ। ଏହାବ୍ୟତୀତ ଜିଲ୍ଲା ଓ ସିଭିଲ୍ କୋର୍ଟର ଅଣ-ନ୍ୟାୟିକ କର୍ମଚାରୀ ସେବା ନିୟମାବଳୀ, ୨୦୦୮ରେ ସଂଶୋଧନ କରି ଗ୍ରୁପ୍-ଡି କର୍ମଚାରୀମାନଙ୍କୁ ଜୁନିଅର କ୍ଲର୍କ ପଦବୀକୁ ପଦୋନ୍ନତିର ସୁଯୋଗ ଦିଆଯାଇଛି, ଯାହାଦ୍ୱାରା ଖାଲି ପଦବୀ ଶୀଘ୍ର ପୂରଣ ହୋଇପାରିବ। ଆଇନ ପୁସ୍ତକରୁ ଅନାବଶ୍ୟକ ବୋଝ ହ୍ରାସ କରିବା ପାଇଁ ରାଜ୍ୟ ଆଇନ ଆୟୋଗଙ୍କ ସୁପାରିଶ କ୍ରମେ ୧୯୭୪ ରୁ ୨୦୨୫ ମଧ୍ୟରେ ପ୍ରଣୀତ ହୋଇଥିବା ଓ ଏବେ ଅପ୍ରାସଙ୍ଗିକ ହୋଇପଡ଼ିଥିବା ୩୫୮ଟି ପୁରୁଣା ଅଧିନିୟମକୁ ବିଲୋପ କରିବା ପାଇଁ ଓଡ଼ିଶା ବିଲୋପ ବିଲ୍, ୨୦୨୬ ଆଣିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶା ତାପଜ ଶକ୍ତି ନୀତି- ୨୦୦୮ରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି, ଯାହା ରାଜ୍ୟକୁ ଅଧିକ ନିବେଶ ଆକୃଷ୍ଟ କରିବାରେ ସହାୟକ ହେବ। ଏହି ସଂଶୋଧନ ଅନୁଯାୟୀ, ତାପଜ ଶକ୍ତି କେନ୍ଦ୍ରଗୁଡ଼ିକରୁ ପୂର୍ବରୁ ଥିବା ୧୪% କିମ୍ବା ୧୨% ଶକ୍ତି କ୍ରୟ ଅଧିକାର ବଦଳରେ ଏବେ ସରକାରଙ୍କ ଦ୍ୱାରା ମନୋନୀତ ସଂସ୍ଥା ପରିବର୍ତ୍ତନଶୀଳ ମୂଲ୍ୟରେ ୫% ଶକ୍ତି କ୍ରୟ କରିପାରିବେ। ଏହି ସମସ୍ତ କେନ୍ଦ୍ରକୁ ପରିବେଶ ମାନଦଣ୍ଡ କଠୋର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାରାଦୀପ ଓ କେନ୍ଦ୍ରାପଡା ଅଞ୍ଚଳରେ ଥିବା ପେଟ୍ରୋଲିୟମ, ରାସାୟନିକ ଓ ପେଟ୍ରୋକେମିକାଲ୍ ନିବେଶ କ୍ଷେତ୍ର ଅର୍ଥାତ୍ ପିସିପିଆଇଆରରେ ଆଗାମୀ ଦିନରେ ପ୍ରତିଷ୍ଠା ହେବାକୁ ଥିବା ଶିଳ୍ପଗୁଡ଼ିକର ବିଦ୍ୟୁତ୍ ଲୋଡ୍ ଆବଶ୍ୟକତା ପୂରଣ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପାରାଦୀପର ଏରସମାଠାରେ ନିର୍ମାଣ ହେବାକୁ ଥିବା ୪୦୦/୨୨୦/୩୩ କେଭି ଗ୍ରୀଡ୍ ସବ-ଷ୍ଟେସନ୍ ଓ ଏହାର ସମ୍ପୃକ୍ତ ପରିବହନ ଲାଇନ ପ୍ରକଳ୍ପର ସଂଶୋଧିତ ବ୍ୟୟ ଅଟକଳକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଓପିଟିସିଏଲର ଏହି ପ୍ରକଳ୍ପ ମୂଲ୍ୟକୁ ପୂର୍ବରୁ ଅନୁମୋଦିତ ୬୩୭.୪୫ କୋଟି ଟଙ୍କାରୁ ୮୫୪.୧୪ କୋଟି ଟଙ୍କାକୁ ସଂଶୋଧନ କରାଯାଇଛି। ଏହି ବ୍ୟୟ ବୃଦ୍ଧି ଫଳରେ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଅଂଶଧନ ସହାୟତା ମଧ୍ୟ ୧୯୧.୨୩୫ କୋଟି ଟଙ୍କାରୁ ୨୫୬.୨୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅବଶିଷ୍ଟ ୪୪୬.୨୧୫ କୋଟି ଟଙ୍କା ଓପିଟିସିଏଲ୍ ଦ୍ୱାରା ଋଣ ମାଧ୍ୟମରେ ବ୍ୟବସ୍ଥା କରାଯିବ।









