ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀପରିଷଦର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀସ୍ଥିତ ‘ସେବା ତୀର୍ଥ’ଠାରେ ଦୀର୍ଘ ୪ରୁ ୫ ଘଣ୍ଟା ଧରି ଚାଲିଥିବା ଏହି ମାରାଥନ ବୈଠକରେ ସରକାରଙ୍କ ବିଭିନ୍ନ ପ୍ରମୁଖ ମନ୍ତ୍ରଣାଳୟର କାର୍ଯ୍ୟଦକ୍ଷତା, ଆଗାମୀ ରଣନୀତି, ବିଶ୍ୱସ୍ତରୀୟ ଶକ୍ତି ସଙ୍କଟ ଏବଂ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ଉପରେ ବ୍ୟାପକ ସମୀକ୍ଷା କରାଯାଇଛି ।ବୈଠକ ପ୍ରାରମ୍ଭରେ ସରକାରଙ୍କ ୯ଟି ପ୍ରମୁଖ ମନ୍ତ୍ରଣାଳୟ ଏବଂ ପ୍ରାୟ ୭୮ଟି ବିଭାଗ ପକ୍ଷରୁ ନିଜ ନିଜର କାର୍ଯ୍ୟ ଏବଂ ପ୍ରଗତି ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ବିଶେଷ କରି କୃଷି, ଜଙ୍ଗଲ ଓ ପରିବେଶ, ଶ୍ରମ, ସଡ଼କ ପରିବହନ, କର୍ପୋରେଟ୍ ବ୍ୟାପାର, ବୈଦେଶିକ ବ୍ୟାପାର, ବାଣିଜ୍ୟ ଏବଂ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ସଫଳତା ଓ ଆଗାମୀ ଯୋ ଜନା ବିଷୟରେ ବିସ୍ତୃତ ତଥ୍ୟ ରଖାଯାଇଥିଲା । କ୍ୟାବିନେଟ୍ ସଚିବ ଟି. ଭି. ସୋମନାଥନ୍ ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ସରକାରୀ ସଂସ୍କାରର ଏକ ରୋଡମ୍ୟାପ୍ ପ୍ରଦର୍ଶନ କରିଥିଲେ । ତେବେ ଯେଉଁ ସବୁ ମନ୍ତ୍ରଣାଳୟର ପ୍ରଦର୍ଶନ ଅପେକ୍ଷାକୃତ ଦୁର୍ବଳ କିମ୍ବା ମନ୍ଥର ରହିଛି, ସେମାନଙ୍କୁ ପ୍ରଧାନମନ୍ତ୍ରୀ ସିଧାସଳଖ ତାଗିଦ୍ କରିବା ସହ ନିଜର କାର୍ଯ୍ୟଶୈଳୀରେ ତୁରନ୍ତ ସୁଧାର ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ମନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନରେ ସ୍ୱଚ୍ଛତା, ଦ୍ରୁତତା ଏବଂ ସରଳତା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ନିର୍ଦ୍ଦେଶଗୁଡ଼ିକ ହେଲା: ସରକାରୀ ସ୍ତରରେ କୌଣସି ବି ଫାଇଲ୍ ଯେପରି ଅନାବଶ୍ୟକ ଭାବେ ଅଟକି ନରୁହେ, ତାହା ନିଶ୍ଚିତ କରିବାକୁ ହେବ । କମ୍ ସମୟ ମଧ୍ୟରେ ଅଧିକରୁ ଅଧିକ କାର୍ଯ୍ୟ ସମ୍ପାଦନ କରିବା ସରକାରଙ୍କ ପ୍ରାଥମିକତା ହେବା ଉଚିତ୍ । ପ୍ରଶାସନିକ ପ୍ରକ୍ରିୟାକୁ ଏଭଳି ସରଳ କରାଯାଉ ଯେପରି ସାଧାରଣ ଜନତାଙ୍କ ଜୀବନଧାରଣ ଅଧିକ ସହଜ ହେବ ।ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପ୍ରତି ଶେଷ ହୋଇଥିବା ୫ଟି ଦେଶର ସଫଳ ବୈଦେଶିକ ଗସ୍ତ ପାଇଁ ସମସ୍ତ ମନ୍ତ୍ରୀ ତାଙ୍କୁ ସାଧୁବାଦ ଓ ଶୁଭେଚ୍ଛା ଜଣାଇଥିଲେ ।ଏହି ହାଇପ୍ରୋଫାଇଲ୍ ବୈଠକରେ କ୍ୟାବିନେଟ୍ ମନ୍ତ୍ରୀ, ସ୍ୱାଧୀନ ଦାୟିତ୍ୱପ୍ରାପ୍ତ ରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତ ରାଷ୍ଟ୍ରମନ୍ତ୍ରୀଙ୍କ ସହ ନୀତି ଆୟୋଗର ସଦସ୍ୟ ଓ ବରିଷ୍ଠ ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ ।










