ଜମ୍ମୁ-କାଶ୍ମୀର:ବାରାମୂଲା ଜିଲ୍ଲା ଚନ୍ଦୋସା ଅଞ୍ଚଳରେ ଆତଙ୍କବାଦୀଙ୍କ ଗୋପନ ଆଡ୍ଡାକୁ ଧ୍ୱଂସ କରିଛି ଜମ୍ମୁ-କାଶ୍ମୀର ପୋଲିସ । ନିଲସର କାଣ୍ଡି କ୍ଷେତ୍ରରେ ହୋଇଥିବା ଏହି ମିଳିତ ଅପରେସନରେ ସୁରକ୍ଷା ବଳ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛନ୍ତି। ଗୁଇନ୍ଦା ସୂଚନା ଆଧାରିତ ଏହି ଅପରେସନରେ ବାରାମୂଲା ପୋଲିସ ସହିତ ୫୨ ରାଷ୍ଟ୍ରୀୟ ରାଇଫଲସ୍, ସିଆରିପିଏଫର ୫୩ତମ ବଟାଲିୟନ ଓ ଏସଏସବିର ବଟାଲିୟନ ୨ ଅଂଶଗ୍ରହଣ କରିଥିଲା। ପାଖାପାଖି ୬ ଘଣ୍ଟା ଧରି ଜାରି ତଲାସୀ ଅଭିଯାନରେ ସୁରକ୍ଷା ବଳ ଗୋପନ ଆଡ୍ଡାକୁ ସମ୍ପୂର୍ଣ୍ଣ ଖାଲି କରିଦେଇଛି।ଅପରେସନ କାଳରେ ସୁରକ୍ଷା ବଳ ୧୪ଟି ସୋଭିଏତ ନିର୍ମିତ ଓଜି-୭ଭି ଫ୍ରେଗମେଣ୍ଟେସନ ରାଉଣ୍ଡ ଜବତ କରିଛି। ଏହା ଆରପିଜି ଲାଗି ବ୍ୟବହାର କରାଯାଏ। ଏ ଗୁଡିକ ପ୍ଲାଷ୍ଟିକ୍ ପ୍ୟାକେଜରେ ଥିଲା। ଏହା ଛଡା ୯ଟି ପିଜି-୭ପି ପ୍ରୋପେଲେଣ୍ଟ ବୁଷ୍ଟର୍ସ ମଧ୍ୟ ମିଳିଛି। ଏହି ଯୁଦ୍ଧ ସାମଗ୍ରୀ ଅତ୍ୟନ୍ତ ବିପଦଜନକ ଓ ଏହାକୁ ବଡ଼ ଧରଣର ଆକ୍ରମଣ ପାଇଁ ଲୁଚାଇ ରଖା ଯାଇଥିଲା। ଜମ୍ମୁ-କାଶ୍ମୀର ପୋଲିସର ବମ ଡିଟେକ୍ସନ ଆଣ୍ଡ ଡିସ୍ପୋଜାଲ ସ୍କ୍ୱାର୍ଡ (ବିଡିଡିଏସ) ସବୁ ଜବତ ସାମଗ୍ରୀକୁ ଯାଞ୍ଚ କରିବା ସହିତ ସୁରକ୍ଷା ପ୍ରୋଟକଲ ଅନୁସାରେ ଜବତ ସାମଗ୍ରୀକୁ ଘଟଣାସ୍ଥଳରେ ନଷ୍ଟ କରିଦେଇଛି।ମାମଲାର ପୋଲିସ ଯାଞ୍ଚ ଆରମ୍ଭ ହୋଇ ଯାଇଛି ଓ ଜବତ ସାମଗ୍ରୀ ସ୍ରୋତରୁ ଆତଙ୍କବାଦୀଙ୍କ ନେଟୱାର୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ ହୋଇଛି।












