ବାତ୍ୟା ‘ତିତ୍ଲି’ର ପ୍ରଭାବ ଧୀରେ ଧୀରେ ଦୁର୍ବଳ ହୋଇ ପଶ୍ଚିମବଙ୍ଗମୁହାଁ ହୋଇଛି। ‘ତିତ୍ଲି’ ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଆନ୍ଧ୍ର ପ୍ରଦେଶ। ପ୍ରଥମେ ଏହା ସ୍ଥଳଭାଗ ଛୁଇଁବା ବେଳକୁ ଏଠାରେ ୧୪୦ରୁ ୧୫୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ବଡ ବଡ ଗଛ ଉପୁଡି ପଡିବା ସହ ଚାଳ ଛପର ଓ ଆଜବେସ୍ଟସ୍ ଘରର ଛାତ ଉଡି ଯାଇଥିଲା । ‘ତିତ୍ଲି’ ପ୍ରଭାବରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲାରେ ୮ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ିଶାରେ ସେତେଟା ପ୍ରଭାବ ନ ଥିଲେ ମଧ୍ୟ ଗଞ୍ଜାମ ଓ ଗଜପତି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ଯାଇଛି। ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ‘ତିତ୍ଲି’ ପାଇଁ ଆଗରୁ ପ୍ରସ୍ତୁତ ଥିଲେ। ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଥିଲା। ଗୁରୁବାର ‘ତିତ୍ଲି’ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗ ପଟ୍ଟନମ୍ରେ ସ୍ଥଳଭାଗ ଛୁଇଁବା ପରେ ସେଠାରେ ବର୍ଷା ସାଙ୍ଗକୁ ୧୩୦ କିମି ବେଗରେ ପବନ ବହିଥିଲା।