ତିତଲିର ବିପଦ ଓଡିଶା ଉପରୁ ଟଳିଯାଇଥିେ ବି ଏହାର ପ୍ରକୋପରୁ ନିସ୍ତାର ପାଇନାହିଁ । ଗୁରୁବାର ରାତି ତମାମ ବିଜୁଳି ଓ ଘଡଘଡି ସହ ପ୍ରଚଣ୍ଡ ବର୍ଷାରେ ରାଜ୍ୟବାସୀଙ୍କୁ ତିନ୍ତେଇ ଦେଇଛି ତିତଲି । ରାଜ୍ୟ ତମାମ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।ଋଷିକୁଲ୍ୟା ନଦୀର ବିପଦ ସଙ୍କେତ ୧୬.୮୩ ରହିଥିବାବେଳେ ଜଳସ୍ତର ୧୮.୪୮ ମିଟର ରହିଛି । ସେହିପରି ବୁଢାବଳଙ୍ଗ ବିପଦ ସଙ୍କେତ ୮.୧୩ ରହିଥିବାବେଳେ ଜଳସ୍ତର ବିପଦ ସଙ୍କେତ ପାଖାପାଖି ୭.୨୧ ମିଟର ରହିଛି । ବଂଶଧରା ନଦୀର ଜଳସ୍ତର ୮୫.୨୦ ମିଟର ଉପରେ ପ୍ରଭାବିତ ହେଉଛି । ଜଳକା ନଦୀର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବୈତରଣୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ଗୁରୁବାର ରାତି ୧ଟାରୁ ଆଖୁଆପଦା ଆନିକଟଠାରେ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ଆରମ୍ଭ କରିଛି । ବିଭିନ୍ନ ସ୍ଥାନରେ ବର୍ଷାଜଳ ଲୋକଙ୍କ ଘର ଭିତରେ ପଶିବାରୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ବିତ୍ପାତରେ ଲୋକେ ହନ୍ତସନ୍ତ ହୋଇଛନ୍ତି ।

ସ୍ମାର୍ଟ ସିଟି ଭୁବନେଶ୍ୱର ଓ କଟକ ସ୍ଥିତି ସଙ୍ଗିନ ହୋଇପଡିଛି । କଟକରେ ଶୁକ୍ରବାର ସକାଳ ସୁଦ୍ଧା ୧୩୩ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ରହିବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସ୍ମାର୍ଟ ସିଟି ଭୁବନେଶ୍ୱରରେ ୯୬ ମିଲିମିଟର ବର୍ଷା ହୋଇଥିବାବେଳେ କିଛି ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ରସୁଲଗଡ , ଲକ୍ଷ୍ମୀସାଗର , ବରମୁଣ୍ଡା, ଜୟଦେବବିହାର , ଆଚାର୍ଯ୍ୟ ବିହାର, ଝାରପଡା, ପୁରୁଣା ଭୁବନେଶ୍ୱର ବେଶ ପ୍ରଭାବିତ ହୋଇଛି ।  ଆଜି ବି ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୁରୀ , ଖୋର୍ଦ୍ଧା, କଟକ , ଯାଜପୁର, ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ , ବାଲେଶ୍ୱର, ମୟୁରଭଞ୍ଜ , କେନ୍ଦୁଝର, ସମ୍ବଲପୁର, ଅନୁଗୁଳ , କନ୍ଧମାଳ , ସୁନ୍ଦରଗଡ ଜିଲ୍ଲାବାସୀଙ୍କୁ ସତର୍କ ସୁଚନା ଜାରି କରାଯାଇଛି । ଏହି ସବୁ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here