ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଙ୍ଗଳବାର ୭୩ତମ ଜନ୍ମଦିନ। ହେଲେ ବାତ୍ୟା ତିତ୍ଲି ଓ ଏହା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନବୀନ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଫାଇଲିନ୍ ଓ ହୁଡ଼୍ହୁଡ଼୍ ବେଳେ ସେ ଜନ୍ମଦିନ ପାଳି ନ ଥିଲେ। ତେବେ ଏହି ଅବସରରେ ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ଶୁଭେଚ୍ଛା ଜଣାଇବାକୁ କେହି ନ ଯିବା ପାଇଁ ନବୀନ ନିବାସ ପକ୍ଷରୁ ମନ୍ତ୍ରୀ, ବିଧାୟକ ଓ ଅଫିସର୍ମାନଙ୍କୁ କୁହାଯାଇଛି । ଶୋସିଆଲ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଧର୍ମେନ୍ଦ୍ର ପ୍ରଧାନ, ନିରଞ୍ଜନ ପଟ୍ଟନାୟକ, ଦିଲ୍ଲୀପ ରାୟ, ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଭିନ୍ନ ଉଚ୍ଚ ପଦାଧିକାରୀ ବ୍ୟକ୍ତିବିଶେଷ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି।
୧୯୪୬ ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ । ସେ ଇଂରାଜୀ ପତ୍ରିକା ‘ଆଉଟଲୁକ’ ଦ୍ୱାରା ଶ୍ରେଷ୍ଠ ପ୍ରଶାସକ ଭାବେ ସ୍ୱୀକୃତି ପାଇଥିବାବେଳେ ୨୦୧୩ ମସିହାରେ ଫାଇଲିନର ସଠିକ୍ ମୁକାବିଲା କରି ଜାତିସଂଘ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ଚଳିତ ବର୍ଷ ପ୍ରଥମ ଭାଗରେ ଭାରତୀୟ ବିଦ୍ୟାର୍ଥୀ ସଂସଦ ତାଙ୍କୁ ପୁନେରେ ଆଦର୍ଶ ମୁଖ୍ୟମନ୍ତ୍ରୀ ବିବେଚିତ କରିଛନ୍ତି। ନିକଟରେ ‘ଇଣ୍ଡିଆ ଟୁଡେ’ ତାଙ୍କୁ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ।