ନୂଆଦିଲ୍ଲୀ: ଦେଶରେ ଛାତ୍ରଛାତ୍ରୀଙ୍କ ବଡଧରଣର ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପଠାଇବା ସହ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିର କାରଣ ସ୍ପଷ୍ଟ କରିଛନ୍ତି। ନିଜ ଇସ୍ତଫାପତ୍ରରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ସେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏକ ସୁଦୃଢ଼, ଅନ୍ତର୍ଭୁକ୍ତିମୂଳକ ଏବଂ ଦୂରଦୃଷ୍ଟିସମ୍ପନ୍ନ ଶିକ୍ଷା ବ୍ୟବସ୍ଥା ହିଁ ଦେଶର ବିକାଶର ମୂଳଦୁଆ ବୋଲି ସେ ସଦାସର୍ବଦା ବିଶ୍ୱାସ କରିଆସିଛନ୍ତି। “ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ମାତ୍ରେ ସରକାର ତୁରନ୍ତ ଘଟଣାର ତଦନ୍ତ CBI କୁ ହସ୍ତାନ୍ତର କରିଥିଲେ ଏବଂ ପୁନଃପରୀକ୍ଷା କରାଯାଇଥିଲା| ଆସନ୍ତା ବର୍ଷଠାରୁ NEET ପରୀକ୍ଷା ସମ୍ପୂର୍ଣ୍ଣ କମ୍ପ୍ୟୁଟର-ଆଧାରିତ (CBT) ମୋଡ୍ ରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ନିରପେକ୍ଷ ପରୀକ୍ଷା ସୁନିଶ୍ଚିତ କରିବା ତାଙ୍କର ପ୍ରାଥମିକତା ଥିଲା। ସଫଳତାର ସହ ପୁନଃପରୀକ୍ଷା ଓ ଫଳାଫଳ ପ୍ରକାଶ ପାଇବା ପରେ ବି କିଛି ଲୋକ ଛାତ୍ରମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ, ଯାହା ତାଙ୍କୁ ଗଭୀର ଆଘାତ ଦେଇଛି। ଏହା ତାଙ୍କର ବ୍ୟକ୍ତିଗତ ସମ୍ମାନର ବିଷୟ ନୁହେଁ, ବରଂ ଦେଶର ଯୁବପିଢ଼ିଙ୍କ ଭବିଷ୍ୟତର ପ୍ରଶ୍ନ। ସେ ଯୁବପିଢ଼ିଙ୍କ ଆକାଂକ୍ଷାକୁ ସମ୍ମାନ କରନ୍ତି। ଏହି କାରଣରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here