ଭୁବନେଶ୍ୱର: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଛି ଯାତାୟାତ ସମସ୍ୟା । ସମସ୍ୟାର ସ୍ଥାୟୀ ସମାଧାନ ଓ ସହର ଦ୍ୱୟର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଟ୍ୱିନ ସିଟିର ଟ୍ରାଫିକ ଡିକଞ୍ଜେସନ ପ୍ଲାନ ସମ୍ପର୍କରେ ବିସ୍ତୃତ ସମୀକ୍ଷା ହୋଇଛି । କଟକ-ଭୁବନେଶ୍ୱରରେ ନୋ-ଟ୍ରାଫିକ୍ ଜାମ, ଟ୍ରାଫିକ ଜଙ୍କସନ ମରାମତି ଓ ଭୁବନେଶ୍ୱର ରାସ୍ତା ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିନ୍ ସିଟିର ଯେଉଁ ସବୁ ପ୍ରମୁଖ ରାସ୍ତା ଓ ଟ୍ରାଫିକ୍ ଜଙ୍କସନ୍‌ଗୁଡ଼ିକ ଖରାପ ଅବସ୍ଥାରେ ଅଛି, ସେଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ସ୍ମାର୍ଟ ଟ୍ରାଫିକ୍ ସିଗନାଲ୍, ସିସିଟିଭି ଏବଂ ବେଆଇନ୍ ପାର୍କିଂ ଉଚ୍ଛେଦ ଭଳି ପଦକ୍ଷେପଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ କଟକରୁ ଭୁବନେଶ୍ୱର ଦେଇ ପୁରୀ ଯାଉଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଯେପରି ବିନା କୌଣସି ଜାମ୍‌ରେ ସହଜରେ ଯାଇପାରିବେ, ସେଥିପାଇଁ ଏକ ବିକଳ୍ପ ୮-ଲେନ୍ ରାସ୍ତା ନିର୍ମାଣ କରିବାକୁ ଗୁରୁତ୍ୱ ଦିଆଯାଇଛି। ନଗରବାସୀଙ୍କୁ ସୁରକ୍ଷିତ ଯାତାୟାତ ସୁବିଧା ଦେବା ପାଇଁ ପୋଲିସ କମିଶନରେଟ୍, ନଗର ଉନ୍ନୟନ ଓ ପୂର୍ତ୍ତ ବିଭାଗ ମିଳିମିଶି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here