ଭୁବନେଶ୍ୱର: କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପତ୍ନୀ କିମ୍ବା ସନ୍ତାନଙ୍କୁ ଭରଣପୋଷଣ ନଦେଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ ଭରଣପୋଷଣ ରାଶି ସିଧାସଳଖ କାଟି ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ରାଜ୍ୟରେ ଅନେକ ସରକାରୀ କର୍ମଚାରୀ କୋର୍ଟଙ୍କ ଆଦେଶ ଥିବା ସତ୍ତ୍ୱେ ଭରଣପୋଷଣ ଟଙ୍କା ଦେଉନଥିବା ଅଭିଯୋଗ ଆସୁଥିବା ବେଳେ ଛାଡ଼ପତ୍ର ପରେ ଦେବାକୁ ଥିବା ପୋଷଣ ଖର୍ଚ୍ଚ ମଧ୍ୟ ଅନେକ କ୍ଷେତ୍ରରେ ମିଳୁନାହିଁ।ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସମୟରେ ପ୍ରତିଥର ଏଭଳି ୨ରୁ ୩ଟି ମାମଲା ଆସୁଥିବା ଜଣାପଡ଼ିଛି। ଏହାକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ଦରମାରୁ ଭରଣପୋଷଣ ରାଶି କାଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ବ୍ୟବସ୍ଥା ଅନୁଯାୟୀ, ଅଦାଲତଙ୍କ ଆଦେଶ ମିଳିବା ପରେ ସମ୍ପୃକ୍ତ ବିଭାଗର DDO କର୍ମଚାରୀଙ୍କ ମାସିକ ଦରମାରୁ ନିର୍ଦ୍ଦିଷ୍ଟ ଭରଣପୋଷଣ ରାଶି କାଟିବେ। ପରେ ଏହି ଟଙ୍କା ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ସିଧାସଳଖ ଜମା କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ କର୍ମଚାରୀ ହୋଇ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଏବଂ ପତ୍ନୀ ଓ ସନ୍ତାନଙ୍କ ପ୍ରତି ଅବିଚାର କରିବା ଗ୍ରହଣୀୟ ନୁହେଁ। ଆଗାମୀ ଦିନରେ ଅଦାଲତ ନିର୍ଦ୍ଦେଶିତ ଭରଣପୋଷଣ ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କ HRMS ସହ ଯୋଡ଼ାଯିବ। ଏହାଦ୍ୱାରା କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ସୁନିଶ୍ଚିତ ହେବା ସହ ପତ୍ନୀ ଓ ସନ୍ତାନମାନଙ୍କୁ ସମୟରେ ଭରଣପୋଷଣ ରାଶି ମିଳିପାରିବ।

LEAVE A REPLY

Please enter your comment!
Please enter your name here