ଭୁବନେଶ୍ୱର: ଆଜି ୧୩୭ ତମ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କରିଛନ୍ତି । ମୈଥିଲି ଭୁଏ ଡେବ୍ରିଗଡ଼ରେ କେନ୍ଦୁପତ୍ର ଓ ମହୁ ସଂଗ୍ରହ ଜଙ୍ଗଲ ସଂରକ୍ଷଣ କରି ପ୍ରଶଂସା ସାଉଁଟିଛନ୍ତି । ମୈଥିଲିଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମୈଥିଲିଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ଅନେକ ମହିଳାଙ୍କୁ ପ୍ରେରଣା ଦେଇଛି । ଏବେଯାଏଁ ୬୦ରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣରେ ସାମିଲ ହୋଇଛନ୍ତି । କିଏ ବନ୍ୟଜନ୍ତୁଙ୍କ ସୁରକ୍ଷା ଦାୟିତ୍ୱ ତୁଲାଇଛନ୍ତି ତ କିଏ ଘାସ ମୈଦାନରେ ବିକାଶ ସହ ଯୋଡି ହୋଇଛନ୍ତି । କିଛି ମହିଳା ଇକୋ-ଟୁରିଜିମ୍ ଆକ୍ଟିଭିଟିରେ ଯୋଗଦାନ ଦେଇଛନ୍ତି । ମୈଥିଲି ଏବଂ ତାଙ୍କ ପରିବାରର ଆବଶ୍ୟକତା ଏହି ଜଙ୍ଗଲରୁ ପୂରଣ ହେଉଛି । ତେବେ ମୈଥିଲି ଜୀ ଡେବ୍ରିଗଡ଼ ଇକୋ-ଟୁରିଜିମ୍ ସହ ଯୋଡି ହୋଇ ରହିଛନ୍ତି । ଏବେ ଜଙ୍ଗଲ ସଂରକ୍ଷଣ ତାଙ୍କ ଜୀବିକାର ମାଧ୍ୟମ ହୋଇଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇର କ୍ରିଷ୍ଣା ସେସାଦ୍ରିଙ୍କ ସହ ଇତିହାସକୁ ନେଇ ମନର କଥା ରଖିଛନ୍ତି । କ୍ରିଷ୍ଣଜୀ ଇତିହାସର ଘଟଣାବଳୀକୁ ନେଇ ପ୍ରସ୍ତୁତ କରିଥିବା ୱେବସାଇଟ୍କୁ ପ୍ରଶଂସା କରିଛନ୍ତି । ଏହା ସହିତ ନିଶାମୁକ୍ତ ଦେଶ ଗଠନ ନେଇ ଯୁବକମାନଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଡ୍ରଗ୍ ଫ୍ରି ଇଣ୍ଡିଆ ଲକ୍ଷ୍ୟ ବାବଦରେ ପ୍ରଧାନମନ୍ତ୍ରୀ କହିଛନ୍ତି, ” ବିକଶିତ ଭାରତ ପାଇଁ ନିଶାମୁକ୍ତି ଭାରତ ଅଭିଯାନ ଜାରି ରହିଛି । ଏହାର ଲକ୍ଷ୍ୟ ସ୍ପଷ୍ଟ ନିଶା ମୁକ୍ତି ଯୁବା । ଆମ ଯୁବଗୋଷ୍ଠୀ ଏହାର ଅଂଶ ହୋଇଛନ୍ତି । ଏହା ସେମାନଙ୍କ ସ୍ୱାସ୍ଥ୍ୟ, ଖୁସି, ଉଜ୍ୱଳ ଭବିଷ୍ୟତ ପାଇଁ ସାମୂହିକ ସଂକଳ୍ପ ।











