ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୌଶମ୍ବୀ ଜିଲ୍ଲାସ୍ଥିତ ମନୋରୀ ଗ୍ରାମରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୧୧ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣରୁ ଅଧିକ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ରୁ ୧୩ ବର୍ଷ ବୟସର ୮ ଜଣ ଶିଶୁ ରହିଥିବା ଜଣାପଡ଼ିଛି। ବିସ୍ଫୋରଣ ଯୋଗୁଁ ବାଣ କାରଖାନାଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ଏବଂ ଏହାର ପ୍ରଭାବରେ ଆଖପାଖର ୫ରୁ ୬ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଫ୍ୟାକ୍ଟ୍ରି ମଧ୍ୟରେ ଗଚ୍ଛିତ ଥିବା ବିପୁଳ ପରିମାଣର ବାଣରେ ନିଆଁ ଲାଗିଯିବାରୁ ସମଗ୍ର ଅଞ୍ଚଳ ଭୟାନକ ଶବ୍ଦରେ କମ୍ପିଉଠିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ଏବଂ ନିକଟସ୍ଥ ମାନୋରୀ ବିମାନଘାଟିର ଯବାନମାନେ ପହଞ୍ଚି ବ୍ୟାପକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କାନ୍ଥ ଭୁଶୁଡ଼ି ପଡ଼ିବାରୁ ଧ୍ୱଂସାବଶେଷ ତଳେ ଚାପି ହୋଇରହିଥିବା ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପ୍ରୟାଗରାଜର ସ୍ୱରୂପ ରାଣୀ ନେହେରୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାର ପ୍ରଭାବ ଏତେ ଭୟାବହ ଥିଲା ଯେ ସେ ଅଞ୍ଚଳରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଏଥିସହିତ ଦିଲ୍ଲୀ-ହାଓଡ଼ା ମୁଖ୍ୟ ରେଳପଥରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ବନ୍ଦ ରହିଥିଲା, ଯାହାଫଳରେ ବନ୍ଦେ ଭାରତ ଏକ୍ସପ୍ରେସ ସମେତ ବିଭିନ୍ନ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ ତିନିଜଣ ଭେଣ୍ଟିଲେଟରରେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ଆତଙ୍କବାଦ ବିରୋଧୀ ଦଳ ଏବଂ ପୋଲିସକୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here