ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅନ୍ତର୍ଗତ ତିଖିରି ପଞ୍ଚାୟତର ବହୁଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ମାମଲା ଏବେ ଜାତୀୟ ସ୍ତରକୁ ଯାଇଛି। ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ସରପଞ୍ଚ ଚାମେଲିଙ୍କୁ ହୋଇଥିବା ମାରପିଟ୍, ଦୁର୍ବ୍ୟବହାର ଏବଂ ନିର୍ଯାତନା ଅଭିଯୋଗର ଘଟଣାସ୍ଥଳ ତଦନ୍ତ ଜାତୀୟ ମାନବାଧିକାର କମିଶନ କରିବେ। ଏଥିପାଇଁ କମିଶନଙ୍କ ଏକ ୩ ଜଣିଆ ବିଶେଷ ଟିମ୍ ଆସନ୍ତା ଅକ୍ଟୋବର ୫ ତାରିଖରେ କେନ୍ଦ୍ରାପଡ଼ାରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବେ। ଏହି ଗ୍ରାଉଣ୍ଡ ତଦନ୍ତ ସମ୍ପର୍କରେ ଜାତୀୟ ମାନବାଧିକାର କମିଶନଙ୍କ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ପତ୍ର ମାଧ୍ୟମରେ ଆଗୁଆ ସୂଚନା ପ୍ରଦାନ କରାଯାଇଛି। ତଦନ୍ତ ବେଳେ କମିଶନଙ୍କ ଟିମ୍ ଘଟଣା ସହ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ସାକ୍ଷାତ କରି ଜବାବସୁଆଲ କରିବେ। ବିଶେଷ କରି ମହାକାଳପଡ଼ା ପୋଲିସ, ବିଡିଓ, ବିଡିଓ କାର୍ଯ୍ୟାଳୟର କର୍ମଚାରୀ, ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ, ମାମଲାର ତଦନ୍ତକାରୀ ଅଫିସର ଏବଂ ଡାକ୍ତରୀ ଦଳଙ୍କୁ ପଚରାଉଚରା କରାଯିବାର କାର୍ଯ୍ୟକ୍ରମ ରହିଛି।






