ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ତଥା ଆମିର ଖାନ୍‌ଙ୍କ ଭଣଜା ଇମ୍ରାନ୍ ଖାନ୍‌ଙ୍କ ବିରୋଧରେ ମୁମ୍ବାଇ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କୁ ଆସନ୍ତା ଅକ୍ଟୋବର ୨୮ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ଆଇନଗତ ନୋଟିସ୍ ଜାରି କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରେ ଆୟୋଜିତ ଏକ ଆନ୍ଦୋଳନରେ ଅଂଶଗ୍ରହଣ କରିବା ହେତୁ ପୋଲିସ ଏହି ପଦକ୍ଷେପ ନେଇଛି। ସୂଚନାନୁଯାୟୀ, ଗତ ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଇମ୍ରାନ୍ ଖାନ୍ ଏହି ପ୍ରତିବାଦକୁ ସମର୍ଥନ କରି ସେଥିରେ ଯୋଗ ଦେଇଥିଲେ। ବିକ୍ଷୋଭ ସମୟରେ ପୋଲିସ ତାଙ୍କ ସମେତ ଅନେକ ଲୋକଙ୍କୁ ଅଟକ ରଖିଥିଲା ଏବଂ ପରେ ସେହିଦିନ ସନ୍ଧ୍ୟାରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ତେବେ ତଦନ୍ତରୁ ଜଣାପଡ଼ିଛି ଯେ, ଇମ୍ରାନ୍ ଖାନ୍ ଭାରତୀୟ ନାଗରିକ ନୁହଁନ୍ତି; ବରଂ ସେ ଜଣେ ଆମେରିକୀୟ ନାଗରିକ ଏବଂ ତାଙ୍କ ପାଖରେ ଓସିଆଇ (ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ) କାର୍ଡ ରହିଛି। ଜଣେ ବିଦେଶୀ ନାଗରିକ ହୋଇ ମଧ୍ୟ ଦେଶର ରାଜନୈତିକ କିମ୍ବା ସାଧାରଣ ପ୍ରତିବାଦରେ ଅଂଶଗ୍ରହଣ କରିଥିବାରୁ, ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ପ୍ରବାସନ ଆଇନର ଧାରା ୭ ଏବଂ ୨୯ ଅନୁଯାୟୀ ମାମଲା ରୁଜୁ କରିଛି। ଏହି ନିୟମ ଉଲ୍ଲଂଘନ କାରଣରୁ ତାଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here