ନୂଆଦିଲ୍ଲୀ: ପୁଣି ଥରେ ପଞ୍ଜାବରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜନୈତିକ ବାତାବରଣ ଅଶାନ୍ତ ହୋଇଉଠିଛି। ରାଜ୍ୟର ମୋଗା ସହରରେ ଏକାଧିକ ରାଉଣ୍ଡ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ ୪ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋଗାର ଅଙ୍ଗଦପୁରା ମୋହଲ୍ଲାରେ ଏକ ଦୋକାନ ବାହାରେ କିଛି ସ୍ଥାନୀୟ ଲୋକ ଶାନ୍ତ୍ ଭାବେ ବସିଥିଲେ। ଏହି ସମୟରେ ଏକ ସ୍କୋର୍ପିଓ ଗାଡ଼ିରେ କିଛି ଅଜ୍ଞାତ ଆକ୍ରମଣକାରୀ ଦ୍ରୁତ ଗତିରେ ଆସି ସେମାନଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ଏହି ଭୟଙ୍କର ଆକ୍ରମଣରେ ୪ ଜଣ ଲୋକ ଗୁଳିମାଡ଼ର ଶିକାର ହୋଇ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିନକୁ ଦିନ ରାଜ୍ୟରେ ଏଭଳି ହିଂସାକାଣ୍ଡ ଏବଂ ଗୁଳିକାଣ୍ଡ ବୃଦ୍ଧି ପାଉଥିବାରୁ ପଞ୍ଜାବର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁ ଏବଂ ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ବିକ୍ରମ ସିଂହ ମାଜିଥିଆ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି। ପୋଲିସ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଫେରାର ଥିବା ଆକ୍ରମଣକାରୀମାନଙ୍କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଛାନଭିନ୍ ଜାରି ରହିଛି।













