ଭୁବନେଶ୍ୱର: ଅର୍ଣ୍ଣବ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା ୮ଜଣିଆ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଗଜପତି ଓ ଗଞ୍ଜାମ ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ପରେ ଗୁରୁବାର ଲୋକସେବା ଭବନରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପରେ କେନ୍ଦ୍ରୀୟ ଟିମ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରି ପ୍ରଭାବିତ ଅଂଚଳର ବାସ୍ତବ ଚିତ୍ର ଉପରେ ଆଲୋଚନା କରିଥିଲେ। ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ରାଜେଶ ପ୍ରଭାକର ପାଟିଲ କହିଛନ୍ତି ଯେ, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରୁ ଆସିଥିବା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଆଧାରରେ କେନ୍ଦ୍ରୀୟ ଟିମ୍ ଆଗରେ ୨୫୨୬ କୋଟି ଟଙ୍କାର ଆର୍ଥକ ସହାୟତା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାସହିତ ବନ୍ୟା ଓ ବାତ୍ୟାର ବାରମ୍ବାର ମୁକାବିଲା କରିବା ଲାଗି ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଅତିରିକ୍ତ ୧୦ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପାଇଁ ଦୃଢ଼ ଦାବି ରଖାଯାଇଛି। ତେବେ ଏହା ଏକ ପ୍ରାଥମିକ ଆକଳନ ମାତ୍ର, କ୍ଷେତ୍ରସ୍ତରରେ ଚାଲିଥିବା ବିସ୍ତୃତ ସର୍ଭେ ଶେଷ ହେବା ପରେ ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ସେ କହିଛନ୍ତି।ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହେକ୍ଟର ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହେବା ସହ ଜାତୀୟ ରାଜପଥ, ପୂର୍ତ୍ତ ବିଭାଗ ଓ ଗ୍ରାମାଂଚଳ ରାସ୍ତାଘାଟ, ବ୍ରିଜ୍, ବିଦ୍ୟୁତ୍ ଭିତ୍ତିଭୂମି, ନଦୀବନ୍ଧ ଓ କେନାଲ ବ୍ୟାପକ ଭାବେ ଧୋଇଯାଇଛି। ମାଛ ଚାଷ ପୋଖରୀ ସମେତ ବିପୁଳ ପରିମାଣର ପ୍ରାଣୀସମ୍ପଦ ହାନି ଘଟିଛି। କେନ୍ଦ୍ରୀୟ ଟିମ୍ ନିଜ କ୍ଷେତ୍ର ପରିଦର୍ଶନ ଅଭିଜ୍ଞତା ବଖାଣି କ୍ଷୟକ୍ଷତିର ମାତ୍ରା ବେଶ୍ ଅଧିକ ବୋଲି ସ୍ୱୀକାର କରିବା ସହ ପ୍ରତ୍ୟେକ ପ୍ରଭାବିତ ଘରକୁ ଯାଇ ସର୍ଭେ କରିବାକୁ ପରାମର୍ଶ ଦେଇଛନ୍ତି ଓ ପୁନରୁଦ୍ଧାର ଲାଗି କେନ୍ଦ୍ର ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।












