କଟକ: ମଙ୍ଗଳବାର ପ୍ରଦୀପ ପ୍ରଜ୍ବଳନ କରି ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଲିଯାତ୍ରା ଉଦ୍ଘାଟନ ପୂର୍ବରୁ ଗଡ଼ଗଡ଼ିଆ ଘାଟରେ ଡଙ୍ଗା ଭସାଇଛନ୍ତି ରାଷ୍ଟ୍ରପତି। ତାଙ୍କ ସହ ରାଜ୍ୟପାଳ ବ୍ରଜ ମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଡ଼ଗଡ଼ିଆ ଘାଟରେ ଡଙ୍ଗା ଭସାଇଛନ୍ତି। ବାଲିଯାତ୍ରା ପଡ଼ିଆରେ ଓରମାସ୍ ଷ୍ଟଲ୍ ମଧ୍ୟ ଉଦ୍ଘାଟନ କରିଛନ୍ତି ରାଷ୍ଟ୍ରପତି। ଓରମାସର ବିଭିନ୍ନ ଷ୍ଟଲ୍ ବୁଲିବା ସହ ମହିଳା ଉଦ୍ୟୋଗୀଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମଥର ପାଇଁ କୌଣସି ରାଷ୍ଟ୍ରପତି ବାଲିଯାତ୍ରା ଆସିବା ଏକ ଗୌରବର ବିଷୟ। ବାଲିଯାତ୍ରାକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି ଯେ, ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରରେ ଅନୁଷ୍ଠିତ ହେଉଥିବା ଏହି ବାଲିଯାତ୍ରା ବିଶ୍ୱବିଦିତ ହେବା ଦରକାର। ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଦେଖାଦେଇଥିଲେ ମଧ୍ୟ ଭାରତର ଅର୍ଥବ୍ୟବସ୍ଥା ସ୍ଥିର ରହିଛି ଏବଂ ପୁଞ୍ଜିନିବେଶକାରୀମାନେ ଓଡ଼ିଶା ପ୍ରତି ଆକୃଷ୍ଟ ହେଉଛନ୍ତି, ଯାହାକି ଏକ ଶୁଭ ସଙ୍କେତ। ବନ୍ଦର ବିନା ବେପାର ସମ୍ଭବ ନୁହେଁ ଏବଂ ଓଡ଼ିଶା ଉପକୂଳରେ ପାରାଦ୍ୱୀପ ବନ୍ଦର ଦେଶର ଏକ ଅଗ୍ରଣୀ ବନ୍ଦର ଭାବେ ପରିଗଣିତ ହେଉଛି। ଆମ ପୁଅଝିଅମାନେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ। ରାଜ୍ୟରେ ଥିବା କାରୁକାର୍ଯ୍ୟ ଓ ଶିଳ୍ପକୁ ଆହୁରି ଉତ୍କୃଷ୍ଟ କରାଗଲେ ଶିଳ୍ପ ପ୍ରତିଷ୍ଠାରେ ଓଡ଼ିଶା ବିଶ୍ୱରେ ଖ୍ୟାତି ଅର୍ଜନ କରିବ। ଉତ୍କଳ ଗୌରବ ମଧୁବାବୁଙ୍କ କଥା ଅବତାରଣା କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ମଧୁବାବୁଙ୍କ ଚିନ୍ତାଧାରାରେ ମୌଳିକତା ଥିଲା, ଯାହା ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ସବୁଠାରୁ ବଡ଼ ଉଦାହରଣ। ଓଡ଼ିଶାର ଉତ୍ପାଦଗୁଡ଼ିକର ନିଜସ୍ୱ ପରିଚିତି ରହିଛି ଏବଂ ଏହା ଯୁବପିଢ଼ିଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେଇଛି। ସୁଦୂର ବାଲି ସହ ସମ୍ପର୍କ ଯୋଡ଼ିବାକୁ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି ସେ କହିଲେ ଯେ, ଏହାଦ୍ୱାରା ଆନ୍ତର୍ଜାତିକ ଓ ସାଂସ୍କୃତିକ ସମ୍ପର୍କ ଅଧିକ ଘନିଷ୍ଠ ହେବ। ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଓ ବାଲି ସହ ସମ୍ପର୍କ ବିଷୟରେ ଅଧିକ ଗବେଷଣା କରି ନୂତନ ତଥ୍ୟ ଉନ୍ମୋଚନ କରିବାକୁ ସେ ଗବେଷକମାନଙ୍କୁ ଆହ୍ୱାନ ଦେଇଥିଲେ। ଏହା ସହ ପରିବେଶ ଓ ନଦୀକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ଦାୟିତ୍ୱ ବୋଲି କହିବା ସହ ମେଳା ସରିବା ପରେ ଯେପରି ଏଠାରେ ଅଳିଆ ଆବର୍ଜନା ନ ରହେ, ସେଥିପ୍ରତି ଧ୍ୟାନ ଦେବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ।













