୫ ରାଜ୍ୟରେ ଭୋଟ ଗଣତି ଚାଲିଥିବାବେଳେ ବିଜେପି-କଂଗ୍ରେସ ମଧ୍ୟରେ ଲାଗିଛି କଡା ଟକ୍କର । ଏଥର କିଏ ସରକାର ଗଢିବ ? ଏହାକୁ ନେଇ ପୁରା ଦେଶର ନଜର ରହିଛି ।
ବିଜେପିର ଦୁର୍ଗ କୁହାଯାଉଥିବା ଛତିଶଗଡରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିହଙ୍କ କୌଣସି କାମ ବିଜେପିକୁ ଫାଇଦା ଦେଇପାରି ନାହିଁ । ଛତିଶଗଡରେ ବିଜେପି କଂଗ୍ରେସ ଠାରୁ ବହୁ ପଛରେ ରହିଛି । ଗତ ୧୫ ବର୍ଷ ଧରି ବିଜପି ଛତିଶଗଡରେ ରାଜୁତି କରିଆସୁଥିଲା । କିନ୍ତୁ ସେଠାରେ ଆଜି ବିଜେପିର ମେରୁଦଣ୍ଡ ଭାଙ୍ଗିଯାଇଛି । ତେବେ ଦିନ ୨ଟା ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ ଛତିଶଗଡରେ ମୋଟ ୯୦ଟି ବିଧାନସଭା ଆସନରେ ନିର୍ବାଚନ ହୋଇଥିବାବେଳେ ବିଜେପି ୨୦ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୬୪ ଆସନରେ ଆଗୁଆ ରହିଛି ।
ସେହିପରି ମଧ୍ୟପ୍ରଦେଶର କଂଗ୍ରେସ-ବିଜେପି ମଧ୍ୟରେ ଲାଗିଛି କଡ଼ା ଟକ୍କର । କେତେବେଳେ ବିଜେପି ଆଗୁଆ ରହୁଛି ତ କେତେବେଳେ କଂଗ୍ରେସ ଆଗୁଆ ରହୁଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ମଧ୍ୟପ୍ରଦେଶରେ ମୋଟ୍‌ ୨୩୦ ଆସନରୁ ବିଜେପି ୧୧୪ ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୦୬ ଆସନରେ ଆଗୁଆ ରହିଛି ।
ତେଲେଙ୍ଗାନାରେ ବିଜେପି ଓ କଂଗ୍ରେସକୁ ପଛରେ ପକାଇଛି ଆଞ୍ଚଳିକ ଦଳ ଟିଆର୍‌ଏସ୍‌ । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ତେଲେଙ୍ଗାନାରେ ମୋଟ ୧୧୯ ଟି ବିଧାନସଭା ଆସନରୁ ଟିଆର୍‌ଏସ୍‌ ୮୫ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୨୩ଟି ଆସନରେ ଆଗୁଆ ରହିଛି । ଆଞ୍ଚଳିକ ଦଳ ଟିଆର୍‌ଏସ୍‌ ଏଠାରେ ଅଧିକ ଶକ୍ତିଶାଳି ରହିଛି ।
ରାଜସ୍ଥାନରେ ମଧ୍ୟ ବିଜେପିକୁ କଂଗ୍ରେସ କଡ଼ା ଜବାବ ଦେଇଛି । ବିଜେପିକୁ ପଛରେ ପକାଇଛି କଂଗ୍ରେସ । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନର ମୋଟ ୧୯୯ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୭୩ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୦୧ଟି ଆସନରେ ଆଗୁଆ ରହିଛି ।
ମିଜୋରାମର ଆଞ୍ଚଳିକ ଦଳ ଏମ୍‌ଏନ୍‌ଏଫ୍‌ ୨୧ଟି ଆସନରେ ଆଗୁଆ ରହିଛି ।

LEAVE A REPLY

Please enter your comment!
Please enter your name here