ନିର୍ବାଚନକୁ ଆହୁରି ତିନିମାସ ବାକି । ମାତ୍ର ଭୁବନେଶ୍ବର ଲୋକସଭା ଆସନ ପାଇଁ ମଇଦାନକୁ ଓହ୍ଲାଇ ସାରିଲେଣି ପ୍ରାର୍ଥୀ । ଭୁବନେଶ୍ବର ଲୋକସଭା ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ପୁଣି ଥରେ ଭୁବନେଶ୍ବର ଆସନରୁ ପ୍ରାର୍ଥୀ ହେବେ । ଦଳ ତାଙ୍କୁ ସବୁଜ ସଙ୍କେତ ଦେଇସାରିଛି । ତେଣୁ ତାଙ୍କ ସମର୍ଥକମାନେ କାନ୍ଥ, ପାଚେରିରେ ‘ଆଉ ଥରେ ଅପରାଜିତା’ ପୋଷ୍ଟର ମାରିସାରିଲେଣି । ଅପରାଜିତା ବି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ସମର୍ଥକଙ୍କ ସହ ଯୋଗ ଦେଇ ସେ ତାଙ୍କ ପ୍ରଭାବ ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷରେ ଗତ ଥର ଅପରାଜିତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇ ହାରିଥିବା ବିଜେଡି ନେତା ଅରୁପ ପଟ୍ଟନାୟକଙ୍କୁ ଦଳ ଆଉ ଦୋହରାଇବାକୁ ଚାହୁଁନି । ଅପରାଜିତାଙ୍କ ବିପକ୍ଷରେ ଜଣେ ନାରୀ ନେତ୍ରୀଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେଡି ବହୁ ଆଗରୁ ମନସ୍ଥ କରି ପ୍ରଚାର ଜୋରଦାର କରିଛି । ଦଳର ପଶ୍ଚିମ ଓଡିଶା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ବିଜେଡି ଚୂଡାନ୍ତ କରିଛି । ଦଳୀୟ ସଂକେତ ମିଳିବା ପରେ ଗତ କିଛି ଦିନ ଧରି ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳିରେ ଶ୍ରୀମୟୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଥିବା ବେଳେ ଆଜି ଏକାମ୍ର ନିର୍ବାଚନମଣ୍ଡଳିର 56 ନମ୍ବର ଓ୍ବାର୍ଡରେ ପଦଯାତ୍ରା ବେଳେ ମନ୍ତ୍ରୀ ଅଶୋକ ପଣ୍ଡା ଶ୍ରମୟୀଙ୍କ ପ୍ରାର୍ଥୀତ୍ବ ସଂପର୍କରେ ସ୍ପଷ୍ଟ କରିଦେଇଛନ୍ତି । ଶ୍ରୀମୟୀ ଭୁବନେଶ୍ବର ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ହେବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଘୋଷଣା କରିବା ପରେ ଦଲର ରଣନୀତି ସ୍ପଷ୍ଟ ହୋଇଛି । ଅପରାଜିତାଙ୍କୁ ମୁକାବିଲା କରିବା ପାଇଁ ଦଳ ଶ୍ରୀମୟୀଙ୍କୁ ଆଗକୁ ଛାଡିଛି । ଗତ ଲୋକସଭା ନିର୍ବାଚନରେ ବିଜେଡି ଭୁବନେଶ୍ବରରେ ହାରିଥିବା ବେଳେ ସାଂସଦ ଅପରାଜିତା ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କଟୁ ସମାଲୋଚନା କରିବା ସରକାରଙ୍କ ପାଇଁ ଅସହ୍ୟ ହୋଇପଡିଛି । ଯେକୌଣସି ପ୍ରକାରେ ଅପରାଜିତାଙ୍କୁ ଆସନ୍ତା ନିର୍ବାଚନରେ ହରାଇବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଛି ।

LEAVE A REPLY

Please enter your comment!
Please enter your name here