ଗୋଟିଏ ଆଇପିଏସ ପୁଅକୁ ଜଣେ କନେଷ୍ଟବଳ ବାପା ସାଲ୍ୟୁଟ ମାରିବା ସମସ୍ତେ ଫିଲ୍ମରେ ଦେଖିଥିବେ. ହେଲେ ଏହା କୌଣସି ଫିଲ୍ମ ନୁହେଁ. ଲକ୍ଷ୍ମୌରେ ଜଣେ କନେଷ୍ଟବଳ ଆଇପିଏସ ପାଇଥିବା ନିଜ ପୁଅକୁ ସାଲ୍ୟୁଟ ମାରି ବହୁତ ଗର୍ବିତ ଅନୁଭବ କରିଛନ୍ତି. ପୁଅ ଅନୁପ କଠିନ ପରିଶ୍ରମ ଓ ବାପା ମାଙ୍କ ଆଶୀର୍ବାଦ ଦ୍ୱାରା ଆଜି ଏହି ପଦବୀ ପାଇଥିବା ପ୍ରକାଶ କରିଛନ୍ତି. ଲକ୍ଷ୍ମୌ ଥାନାରେ ତାଙ୍କ ପିତା ଜନାର୍ଦନ ସିଂ କନେଷ୍ଟବଳ ଥିବା ବେଳେ ଆଜି ତାଙ୍କ ପୁଅକୁ ସେ ଆଇପିଏସ ରୂପରେ ଦେଖୁଛନ୍ତି. ଅନୁପ ତାଙ୍କ ପୁଅ ହେଲେ ମଧ୍ୟ ଜନାର୍ଦନଙ୍କ ପାଇଁ ସେ ଜଣେ ଆଇପିଏସ ଅଫିସର ଓ ସେ ତାଙ୍କୁ ସେମିତି ହିଁ ସମ୍ମାନ ଦେବେ, ଯେମିତି ଅନ୍ୟ ପୋଲିସ ଅଫିସରଙ୍କୁ ସେ ଦିଅନ୍ତି ବୋଲି କହିଛନ୍ତି ଜନାର୍ଦନ. ଅନୁପ ମୋର ପୁଅ ହେଲେ ମଧ୍ୟ କାମରେ ସଂପର୍କ କିଛି ନୁହେଁ ବୋଲି କହିଛନ୍ତି ଅନୁପଙ୍କ ପିତା ଜନାର୍ଦନ. ତେବେ ଏହି ସଫଳତାର ଶ୍ରେୟ ଅନୁପ ତାଙ୍କ ପିତାଙ୍କୁ ଦେଇଛନ୍ତି. ଆଉ ତାଙ୍କୁ ଆଇପିଏସ ହେବା ପାଇଁ ପ୍ରେରଣା ବାପାଙ୍କଠୁ ମିଳିଛି ବୋଲି କହିଛନ୍ତି ଅନୁପ.