ବର୍ତ୍ତମାନ ରାଜ୍ୟରେ ଯାହା ଚାଲିଛି, ତାହା ମୁକ ହୋଇ ଦେଖିବା ଆଉ ସମ୍ଭବ ନୁହେଁ । ନୂଆଦିଲ୍ଲୀରେ କଂଗ୍ରେସରେ ସାମିଲ ହେବା ପରେ ଆଜି ଓଡିଶା ଫେରି ଏହା କହିଛନ୍ତି ବିଜୟ ପଟ୍ଟନାୟକ । କଂଗ୍ରେସରେ ସାମିଲ ହେବା ପରେ ଆଜି ବିମାନ ବନ୍ଦରରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ତାଙ୍କୁ ବାଇକ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଅନେକ ତାଙ୍କୁ ପ୍ରଶ୍ନ କରୁଛନ୍ତି, ଅବସର ନେବାର ଦଶବର୍ଷ ପରେ ରାଜନୀତିରେ କାହିଁକି ଯୋଗଦେଲେ । ଏଇଥିପାଇଁ ସେ ରାଜନୀତିରେ ଯୋଗଦେଲେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି, ଏବେ ରାଜ୍ୟରେ ଚାଲିଥିବା ସରକାର, ଶାସନ ପ୍ରଶାସନ କିଛି ଠିକ୍ ଚାଲିନି । ଦୁର୍ନୀତି, ବେରୋଜଗାର ବଢି ଚାଲିଛି । ସରକାରର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ନା ବିଧାୟକମାନେ କଥା ହୋଇପାରୁଛନ୍ତି ନା ସାଧାରଣ ଲୋକଙ୍କର ସଂପର୍କ ଅଛି । ଗୋଟିଏ ଦଳ ଦୁଇ ଦଶନ୍ଧିରୁ ଅଧିକ ବର୍ଷ ସରକାରରେ ରହିବା ପରେ ବି ଓଡିଶା ଗରିବ ରାଜ୍ୟ ହୋଇ ରହିଛି । ଦୀର୍ଘବର୍ଷ ଗୋଟିଏ ଦଳ କ୍ଷମତାରେ ରହିବା ଦ୍ବାରା ଦୁର୍ନୀତି ହିଁ ହୋଇଥାଏ । ତେଣୁ ବିକଳ୍ପ ଦରକାର ବୋଲି କହିଛନ୍ତି ବିଜୟ ପଟ୍ଟନାୟକ ।

ବିଜୟ ପଟ୍ଟନାୟକ କହିଛନ୍ତି, ଓଡିଶାର ଲୋକମାନେ ଓଡିଶାରେ ହିଁ ନିର୍ଯାତିତ ହେଉଛନ୍ତି । ଦୀର୍ଘବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କାର୍ଯ୍ୟ କରିଛନ୍ତି । କିନ୍ତୁ ସେ ଯେଉଁ ନବୀନପଟ୍ଟନାୟକଙ୍କ ସହ କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନର ନବୀନ ପଟ୍ଟନାୟକଙ୍କ ଭିତରେ ଆକାଶ ପାତାଳ ଫରକ ରହିଛି ବୋଲି ସେ କହିଛନ୍ତି ।

ଝାରସୁଗୁଡାରେ ମନ୍ତ୍ରୀ ନବ ଦାସଙ୍କୁ ଦିବାଲୋକରେ ହତ୍ୟା କରାଯିବା ପଛରେ ଅସଲ ଅପରାଧୀ ଗୋପାଳ ନୁହେଁ, ଆଉ କେହି ବୋଲି ସେ କହିଛନ୍ତି । ଗୋପାଳ ସେଠାରେ ଉପସ୍ଥିତ ଥିଲା, କିନ୍ତୁ ଗୋପାଳ ହତ୍ୟା କରିନାହିଁ । ଏହା ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି ।

ବିକଳ୍ପ ରାଜନୀତି ପାଇଁ କଂଗ୍ରେସକୁ କାହିଁକି ବାଛିଲେ ବୋଲି ପ୍ରଶ୍ନର ଉତ୍ତରରେ ବିଜୟ କହିଛନ୍ତି, କଂଗ୍ରେସ ହିଁ ଏକମାତ୍ର ଦଳ, ଯିଏ ରାଜ୍ୟରେ ବିକଳ୍ପ ହୋଇପାରିବ । ବିକାଶ ନାଁରେ ଯାହା ପ୍ରଚାର ହେଉଛି, ବାସ୍ତବ ଚିତ୍ର ତାହା ନୁହେଁ । ତେଣୁ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here