କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳ ହସ୍ପିଟାଲର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ସସପେନ୍ସ । କେମିତି ଏବଂ କେଉଁ ପରିସ୍ଥିିତିରେ ମୃତ୍ୟୁ ହେଲା । ଖୋଳତାଡ ଭିତରେ ସସପେନ୍ସ ବଢାଇଛି ଡାକ୍ତରାଣୀଙ୍କ ଏଫଆଇଆର୍ । ଗତ ୨୦ ତାରିଖରେ ସେ ଯୋଡା ଥାନାରେ ଏଫଆଇଆର ଦେଇଥିଲେ । ଯେଉଁଥିରେ ଜଣେ ଡାକ୍ତରଙ୍କ ନାଁରେ ଅଭିଯୋଗ କରିଥିଲେ ଶୁଭଶ୍ରୀ । ଡାକ୍ତର ଦିବ୍ୟ ରଞ୍ଜନ ମାଝୀଙ୍କ ନାଁରେ ଏତଲା ଦେଇଥିଲେ । ଏଫଆଇଆରରେ ଦର୍ଶାଇଥିଲେ ଯେ, ସମ୍ପୃକ୍ତ ଡାକ୍ତର ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ପରେ ବିବାହ କରିବାକୁ ମନା କରିଥିଲେ ଦିବ୍ୟ ରଞ୍ଜନ । ଯାହାକୁ ନେଇ ଶୁଭଶ୍ରୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି କାରଣ ପାଇଁ ଜୀବନ ହାରିଲେ କି ଡାକ୍ତରାଣୀ । ପ୍ରେମରେ ପ୍ରତାରଣା ପରେ ମାନସିକ ଚାପରେ ଥିଲେ କି ଶୁଭଶ୍ରୀ । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁ ଉପରୁ ପରଦା ହଟିବ । ମେଡିକାଲ ନିକଟରେ ସେ ଏକ ଭଡା ଘରେ ରହୁଥିଲେ । ସାଙ୍ଗମାନଙ୍କ ସହ ଜିରୋ ନାଇଟ୍ ସେଲିବ୍ରେସନ କରି ଘରକୁ ଯାଇଥିଲେ ଶୁଭଶ୍ରୀ । ଗତକାଲି ସଂଧ୍ୟା ଯାଏଁ ସେ ଘର କବାଟ ନ ଖୋଲିବାରୁ ପୋଲିସକୁ ଖବର ଦେଇଥିଲେ ପଡୋଶୀ । ପୋଲିସ ଘରର କବାଟ ଭାଙ୍ଗିବା ପରେ ଖଟ ଉପରେ ସଜ୍ଞାହୀନ ଅବସ୍ଥାରେ ପଡିଥିଲେ ଡାକ୍ତର ଶୁଭଶ୍ରୀ କର । ତାଙ୍କୁ ଯୋଡାସ୍ଥିିତ ଟାଟାଷ୍ଟିଲ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । ରାଉରକେଲା ବାସିନ୍ଦା ଶୁଭଶ୍ରୀଙ୍କ ପରିବାର କଟକରେ ରହୁଛନ୍ତି । ବ୍ରହ୍ମପୁର ଏମକେସିଜିରେ ଏମବିବିଏସ ସାରିବା ପରେ ବର୍ଷେ ତଳେ ଯୋଡା ମୁନିସିପାଲଟି ହସ୍ପିଟାଲରେ ସେ ନିଯୁକ୍ତି ପାଇଥିଲେ ।

LEAVE A REPLY

Please enter your comment!
Please enter your name here