ଭାରତ-ପାକିସ୍ତାନ ସୀମାନ୍ତରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ପାକିସ୍ତାନ ବିରୋଧରେ ବଡ ଆକ୍ସନ ପ୍ଲାନ ଆରମ୍ଭ କରିଛି । ଭାରତୀୟ ବାୟୁସେନା ସୀମାନ୍ତରେ ସମରାଭ୍ୟାସ ଆରମ୍ଭ କରିଦେଇଥିବା ବେଳେ ସେନାବାହିନୀ ଆତଙ୍କବାଦୀ ତଲାସି ଅଭିଯାନ ଆରମ୍ଭ କରିଦେଇଛି । ଦେଶ ଭିତରୁ ସବୁ ପାକିସ୍ତାନୀଙ୍କୁ ବିଦା କରିବା ପ୍ରକ୍ରିୟା ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାର ଜବାବ ଦେବା ପାଇଁ ଆଉ ସମରାଭ୍ୟାସ ନୁହେଁ, ବରଂ ସବୁ ଭାରତୀୟ ଏବେ ଯୁଦ୍ଧ ଚାହୁଁଛନ୍ତି । ଆଉ କାହାର ଧୈର୍ଯ୍ୟ ନାହିଁ । ବାରମ୍ବାର ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ସରକାର କଠୋର ନିଷ୍ପତ୍ତି ନିଅନ୍ତୁ ବୋଲି ସବୁ ଭାରତୀୟ ମତ ଦେଉଛନ୍ତି । ଧର୍ମ, ଜାତି ନିର୍ବିଶେଷରେ ସବୁ ଭାରତୀୟ ପାକିସ୍ତାନ ବିରୋଧରେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି । ଆଉ ଆତଙ୍କବାଦୀକୁ ପ୍ରଶ୍ରୟ ଦେବାର ପ୍ରଶ୍ନ ଉଠୁନି । ତେଣୁ ସମରାଭ୍ୟାସ ନୁହେଁ, ଭାରତ ପାକିସ୍ତାନକୁ ଉଚିତ ଜବାବ ଦେବା ଦରକାର ବୋଲି ଜନମତ ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ଭାରତୀୟ ମୁସଲମାନମାନେ ମଧ୍ୟ ପାକିସ୍ତାନ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଦେଶର ଜନମତ ଯୁଦ୍ଧ ସପକ୍ଷରେ ରହିଥିବା ବେଳେ ଭାରତ ସରକାର ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି । ପାକିସ୍ତାନ ବିରୋଧରେ ଭାରତର କଟକଣା ଏବଂ ବିଶେଷ କରି ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବା ଘଟଣା ପାକିସ୍ତାନ ଉପରେ ଚାପ ବଢାଇଦେଇଛି । ପାକିସ୍ତାନ ବିପକ୍ଷରେ ବିଶ୍ବର ବିଭିନ୍ନ ପ୍ରଭାବଶାଳୀ ରାଷ୍ଟ୍ରଗୁଡିକର ମତ ସୃଷ୍ଟି କରିବାରେ ସରକାର ସଫଳ ହୋଇଛନ୍ତି । ସୀମାନ୍ତରେ ଯୁଦ୍ଧ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ଚାଲିଥିବା ବେଳେ ପାକିସ୍ତାନୀ ସେନାକୁ ଜବାବ ଦେଉଛନ୍ତି ଭାରତୀୟ ସେନା । ବାୟୁସେନା ଓ ନୌବାହିନୀ ମଧ୍ୟ ପୁରା ସଜାଗ ରହିଛି । କେବଳ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ।