ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ସଂଶୋଧିତ ଆୟକର ବିଲ ରଖିଛନ୍ତି। ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି। ଗତ ସପ୍ତାହରେ ସରକାର ଆୟକର ବିଲ, ୨୦୨୫ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ପରେ ଏହି ପଦକ୍ଷେପ ନିଆଯାଇଛି। ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧କୁ ବଦଳାଇବା ପାଇଁ ଫେବୃଆରୀ ୧୩ରେ ନୂତନ ବିଲ ଆଗତ କରାଯାଇଥିଲା। ସିଲେକ୍ଟ କମିଟିର ସୁପାରିଶ ପରେ ସରକାର ଗତ ସପ୍ତାହରେ ଏହାକୁ ପ୍ରତ୍ୟାହାର କରିଥିଲେ। ଅଗଷ୍ଟ ୧୧ରେ ଆଗତ ହୋଇଥିବା ନୂତନ ଡ୍ରାଫ୍ଟ ସାଂସଦମାନଙ୍କୁ ଏକକ ଏବଂ ସଦ୍ୟତମ ସଂସ୍କରଣ ପ୍ରଦାନ କରିବା ଲକ୍ଷ୍ୟ ରଖିଛି।
ଏହି ବିଲରେ ସିଲେକ୍ଟ କମିଟି ପକ୍ଷରୁ ଦିଆଯାଇଥିବା ପ୍ରାୟ ସମସ୍ତ ପରିବର୍ତ୍ତନ ସାମିଲ ହୋଇଛି। ବିଲ ପ୍ରତ୍ୟାହାର ଓ ନୂଆ ବିଲ ପ୍ରସ୍ତୁତି ସମ୍ବନ୍ଧରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦ୍ୱନ୍ଦ୍ୱ ଏଡାଇବା ପାଇଁ ପୂର୍ବ ବିଲକୁ ପ୍ରତ୍ୟାହାର କରାଯାଇଥିଲା ଏବଂ ନୂତନ ଡ୍ରାଫ୍ଟ ୧୯୬୧ ଆଇନକୁ ବଦଳାଇବା ପାଇଁ ଆଧାର ଭାବରେ କାର୍ଯ୍ୟ କରିବ।














