ଭୁବନେଶ୍ବର ସ୍ମାର୍ଟସିଟି ହେବା ଖବରରେ ଆମେ ସମସ୍ତେ ଯେତିକି ଖୁସି ହୋଇଥିଲେ, ଏଥରକର ବର୍ଷା ସେସବୁ ଧୋଇଦେଲା. ଭୁବନେଶ୍ବର ବିଶ୍ବସ୍ତରୀୟ ସହରର ମାନ୍ୟତା ପାଇବା ଏବଂ ସମଗ୍ର ବିଶ୍ବର ଟପ୍ 20 ସହର ମଧ୍ୟରେ ସ୍ଥାନ ପାଇବା କିଛି କମ୍ ଗୌରବମୟ କଥା ନୁହେଁ. ମାତ୍ର ସମସ୍ତଙ୍କୁ ଚକିତ କରିଦେଲା ବର୍ଷା. ଗୋଟିଏ ଦିନର ବର୍ଷା ସ୍ମାର୍ଟସିଟିର ରଙ୍ଗକୁ ଧୋଇଦେଲା. ପ୍ରଶ୍ନ ଉଠୁଛି, ଏମିତି କାହିଁକି ହେଲା ? କୋଉଠି ରହିଲା ତୃଟି ? ଭୁବନେଶ୍ବର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପରେ ଭରଷା କରି ମୁଖ୍ୟମନ୍ତ୍ରୀ ତାଙ୍କୁ ଲଗାତର ତିନି ପାଳି ମେୟର  ରଖିଛନ୍ତି. ସହରରେ ତିନି ତିନି ଜଣ ବିଧାୟକ ବି ଅଛନ୍ତି. ସ୍ମାର୍ଟସିଟି ପାଇଁ ଅର୍ଥର ଅଭାବ ମଧ୍ୟ ନାହିଁ. ତାହେଲେ କଣ ପାଇଁ ବର୍ଷାପାଣିରେ ଉବୁଟୁବୁ ହେଉଛି ସ୍ମାର୍ଟସିଟି. କହୁ କହୁ ମନ୍ତ୍ରୀ ଅଶୋକ ପଣ୍ଡା କହିଦେଲେ କିଛି ପ୍ରଭାବଶାଳୀ ବ୍ୟୁରୋକ୍ରାଟଙ୍କ ଯୋଗୁ ପ୍ରାକୃତିକ ନାଳ ଉପରୁ ଜବରଦଖଲ ଉଚ୍ଛେଦ କରାଯାଇପାରୁନି. ଗତ 18 ବର୍ଷ ଭିତରେ ସହର ତଳି ଅଞ୍ଚଳରେ ଅବ୍ୟବସ୍ଥିତ ଭାବେ ଅର୍ଥାତ ଆବଶ୍ୟକ ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ବେଳେ ବାସଗୃହ ସଂଖ୍ୟ ବଢିଗଲାଣି. ବସ୍ତିସଂଖ୍ୟା ବି ବଢି ବଢି ଚାଲିଛି. ଏଯାରପୋର୍ଟ ଠାରୁ ସଚ୍ଚିବାଳୟ, ବିଧାନସଭା, ଜୟଦେବବିହାର, ବାଣୀବିହାର ଭଳି ଯଦି କିଛି ପ୍ରମୁଖ ଅଞ୍ଚଳକୁ ସ୍ମାର୍ଟସିଟିର ମାନ୍ୟତା ଦିଆଯାଉଥାଏ, ତେବେ ଆମର କିଛି କହିବାର ନାହିଁ. ତେବେ ଏସବୁ ଅଞ୍ଚଳରେ ବି ବର୍ଷା ପାଣି ଲହଡା ଭାଙ୍ଗୁଛି. ଅତଏବ ସ୍ମାର୍ଟସିଟିର ଉପର ସୁନ୍ଦର, ଭିତର ପୋଲା ଥିବା ଭଳି ମନେ ହେଉଛି.

LEAVE A REPLY

Please enter your comment!
Please enter your name here