ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ବାଧୀନ ଫେଡେରେସନ୍ । କେନ୍ଦ୍ର ସରକାର ଶ୍ରମିକ, କୃଷକ, ଛାତ୍ର, ଯୁବକ, ମହିଳା ଓ ସଂଖ୍ୟାଲଘୁଙ୍କ ସ୍ବାର୍ଥକୁ ଅଣଦେଖା କରୁଥିବା ଅଭିଯୋଗ କରି ଏହି ଧର୍ମଘଟ ଡକରା ଦିଆଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି କହିଛି, ଯେଉଁମାନେ ଆଜି ବିରୋଧ କରୁଛନ୍ତି, ସେମାନେ ସରକାରରେ ଥିଲାବେଳେ ଶ୍ରମିକମାନେ ନିର୍ଯାତିତ ହେଉଥିଲେ । ଏହି ସଂଗଠନଗୁଡ଼ିକ ଶ୍ରମିକଙ୍କୁ ନେଇ ବେପାର କରୁଛନ୍ତି, ଶ୍ରମିକ ଆନ୍ଦୋଳନରେ ଯେଉଁ ସଂଗଠନ ମାନଙ୍କର ରୋଜି ରୁଟି ଚାଲୁଛି ସେମାନେ ଶ୍ରମିକଙ୍କ ନାଁରେ ବର୍ଷ ବର୍ଷ ଧରି ରାଜନୀତି କରୁଥିବା ବିଜେପି ଅଭିଯୋଗ କରିଛି । ଆଜି ଭାରତ ବନ୍ଦ ପାଳନ ବେଳେ ରାଜ୍ୟରେ ଅଘଟଣା ଘଟିଯାଇଛି । ରାୟଗଡ଼ାରେ ଆନ୍ଦୋଳକାରୀଙ୍କ ନିକଟକୁ ବସ୍ ମାଡ଼ି ଯାଇଥିବାବେଳେ ବାଲେଶ୍ୱରରେ ଜଣେ ଆନ୍ଦୋଳନକାରୀଙ୍କୁ କାର୍ ଧକ୍କା ଦେଇଛି । ରାୟଗଡ଼ା ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ଶିରିଗୁଡ଼ା ଛକରେ ଆନ୍ଦୋଳନକାରୀଙ୍କ ଉପରେ ଏକ ପୋଲିସ ବସ୍ ବ୍ରେକ୍ ଫେଲ୍ ହେବାରୁ ଆନ୍ଦୋଳନକାରୀଙ୍କ ଆଡ଼କୁ ବସ୍ ମାଡ଼ି ଯାଇଛି । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଲଗାଇ ବସକୁ ନିୟନ୍ତ୍ରଣ କରିଛନ୍ତି । ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ । ଏହାକୁ ନେଇ ଆନ୍ଦୋଳନକାରୀ କହିଛନ୍ତି ଯେ, ତାଙ୍କୁ ଜାଣିଶୁଣି ହତ୍ୟା କରିବାକୁ ଚେଷ୍ଟା କରାଯାଉଥିଲା । ବାଲେଶ୍ୱରରେ ବନ୍ଦ ପାଳନ ବେଳେ ଏକ ଦ୍ରୁତଗାମୀ କାର୍ ଆନ୍ଦୋଳନକାରୀଙ୍କୁ ଧକ୍କା ଦେଇଛି ।ଏହା ଫଳରେ ଜଣେ ବରିଷ୍ଠ ନେତା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗଭୀର ଆଘାତ ଲାଗିଛି । ଏହି ଘଟଣାକୁ ନେଇ ଆନ୍ଦୋଳନ ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।














