ଅବସର ଗ୍ରହଣ କରିବାର ଦିନକ ପୂର୍ବରୁ ମାଡି ବସିଲା ଭିଜିଲାନ୍ସ । ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗୀ ଭିଜିଲାନ୍ସ ବାବୁଙ୍କ ଆସିବା ଖବର ପାଇ ବିଡା ବିଡା ଟଙ୍କା ଝରକା ବାଟେ ଯେତେ ପାରିଲେ, ବାହାରକୁ ଫୋପାଡିଦେଲେ । ସବୁ ପାଞ୍ଚଶହ ଟଙ୍କିଆ ବିଡା । ଯେତିକି ବାହାରକୁ ଫୋପାଡିଲେ, ସେସବୁ ଯାଇ ପଡିଶା ଘର ଆଜବେଷ୍ଟସ ଉପରେ ପଡିଲା । ଭିଜିଲାନ୍ସ ବାବୁ ମାନେ ଆଜବେଷ୍ଟସ ଉପରୁ ଯେତିକି ଟଙ୍କା ପାଇଲେ, ତାର ପରିମାଣ 37 ଲକ୍ଷ ଟଙ୍କା । ଡୁମୁଡୁମା ସ୍ଥିତ ଫ୍ଲାଟରୁ ଭିଜିଲାନ୍ସ ବାବୁମାନେ 1.21 କୋଟି ଟଙ୍କା ଏବଂ ଅନୁଗୁଳ କରଡାଗାଡିଆ ସ୍ଥିତ ଘରୁ 1.30 କୋଟି ଟଙ୍କା ଜବତ କରିଛନ୍ତି । ଏହାବ୍ୟତୀତ ଶେୟାର ମାର୍କେଟରେ 2.70 କୋଟି ଟଙ୍କାର ପୁଞ୍ଜି ନିବେଶ କରିଛନ୍ତି ଷଡଙ୍ଗୀ ବାବୁ । ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଜମା ବି କରିଛନ୍ତି । ଏକାଧିକ ସ୍ଥାନରେ ଭୁବନେଶ୍ବର, ପିପିଲି, ଅନୁଗୁଳରେ ଘର, ଫ୍ଲାଟ, ସାତଟି ସ୍ଥାନରେ ପ୍ଲଟ୍ ବି କିଣିଛନ୍ତି । ପୁରା ସରକାରୀ ଚାକିରୀର ସଦୁପଯୋଗ କରି ଷଡଙ୍ଗୀ ବାବୁ ଯାହା ଉପାର୍ଜନ କରିଥିଲେ, ଶେଷ ମୁହୂର୍ତ୍ତରେ ଭିଜିଲାନ୍ସ ବାବୁମାନେ ମାଡି ବସିଛନ୍ତି ।

ବୈକୁଣ୍ଠନାଥ ଷଡଙ୍ଗୀ ବାବୁ ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଥିଲେ । ଆମେ ଭଲ ଭାବେ ଜାଣିଛେ, ଗ୍ରାମ ଉନ୍ନୟନ ପାଇଁ ସରକାରଙ୍କ ବଜେଟ କେତେ ? ସେଥିରେ ବର୍ଷ ବର୍ଷ ଧରି ଛୋଟ ବଡ ଠିକାଦାରଙ୍କଠୁ ଆରମ୍ଭ କରି ନେତାଙ୍କ ଯାଏଁ ସମସ୍ତଙ୍କ ଆଖି ଥାଏ । ଉନ୍ନୟନ ଯାହା ହେଉ, ସରକାରୀ ଟଙ୍କାରୁ କାହା ପିସି କେତେ, ସେଇଟା ଆଗରୁ ସ୍ଥିର ହୋଇଥାଏ । କାମ ହେଉ ନ ହେଉ, ସରକାରୀ ତହବିଲରୁ ଟଙ୍କା ମଂଜୁର କରିବା ପାଇଁ ଷଡଙ୍ଗୀ ବାବୁଙ୍କ ଭଳିଆ ସରକାରୀ ବାବୁମାନେ ସାର୍ଟିଫିକେଟ ଦିଅନ୍ତି । ତିରିଶବର୍ଷରୁ ଅଧିକ କାଳ ଷଡଙ୍ଗୀ ବାବୁ ସରକାରରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଉପାର୍ଜନ ହେଉଛି ଏହି କୋଟି କୋଟି ଟଙ୍କା । ସେ ଗୋଟିଏ ଦିନରେ ଏତିକି ଦୁର୍ନୀତି କରିନାହାଁନ୍ତି, ସରକାରୀ ଚାକିରୀ କରିବା ଦିନ ଠାରୁ ଦୁର୍ନୀତି ଆରମ୍ଭ କରି ଅର୍ଥ ଉପାର୍ଜନ କରିଛନ୍ତି । ଆଉ ଦୁର୍ନୀତିରେ ତାଙ୍କର ନିଷ୍ଠା ଓ କଠିନ ପରିଶ୍ରମ ଦେଖି ଆମ ସରକାର ତାଙ୍କୁ ବିଭିନ୍ନ ସମୟରେ ପଦୋନ୍ନତି ଦେଇ ଦେଇ ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ କରିଥିଲେ । ଏଥିରେ ଷଡଙ୍ଗୀ ବାବୁଙ୍କର ଭୁଲ୍ ରହିଲା କେଉଁଠି ? ବିଭାଗୀୟ ମନ୍ତ୍ରୀ, ସଚିବ ତଥା ଅନ୍ୟ ପଦସ୍ଥ ଅଧିକାରୀଙ୍କ ବିନା ଆଶିର୍ବାଦରେ ଷଡଙ୍ଗୀ ବାବୁ କଣ ଏତେ ଉପରକୁ ଆସି ପାରିଥଆନ୍ତେ ?

ଦରମା ବାହାରେ ସରକାରୀ ଚାକିରିଆଙ୍କର ଲୋଭ ଉପୁରି ଉପରେ । ଯିଏ ଯେତେ ଉପୁରି ଉଠାଇପାରିଲା, ସିଏ ସେତେ ଦକ୍ଷ । ଏତେବର୍ଷ ଧରି ଷଡଙ୍ଗୀ ବାବୁ ଉପୁରି ଉଠାଇବାରେ ଯେ ଓସ୍ତାଦ୍, ଏକଥା ଯେ ଭିଜିଲାନ୍ସ ବାବୁମାନଙ୍କୁ ଅଛପା ଥିଲା, ଏ କଥା କହିବା ଠିକ୍ ହେବନି । ସତକଥା ହେଉଛି, କାହା ସହ ମୂଲଚାଲ୍ କରିବାରେ ଷଡଙ୍ଗୀ ବାବୁ ଭୁଲ୍ କଲେ ବୋଲି ଅବସର ଦିନକ ପୂର୍ବରୁ ତାଙ୍କର ଶନିଦଶା ପଡିଗଲା ।

ଆମ ସରକାରୀ ବ୍ୟବସ୍ଥା ବି ବଡ ଅଜବ । ପୁରା ଚାକିରୀ ସମୟ ଚାଲିଗଲା, ଭିଜିଲାନ୍ସ ବାବୁ ମାନେ ଷଡଙ୍ଗୀ ବାବୁଙ୍କୁ ଧରିପାରିଲେନି । ଏଥିରୁ କେମିତି ଗ୍ରାମ ଉନ୍ନୟନ ହେଉଛି, ଅନୁଭବ କରାଯାଇପାରେ । କେବଳ ଜଣେ ଷଡଙ୍ଗୀ ବାବୁ ନୁହଁନ୍ତି, ଆମ ସରକାରୀ ବ୍ୟବସ୍ଥାରେ ଏମିତି ଅନେକ ଷଡଙ୍ଗୀ ବାବୁ ଅଛନ୍ତି, ଯିଏ ଉପୁରି ଉଠାଇବାରେ ମାହିର୍ । ଏମାନଙ୍କୁ ସରକାରରେ ବଡବାବୁଙ୍କଠୁ ଆରମ୍ଭ କରି ବଡ ସଚିବ, ବଡ ମନ୍ତ୍ରୀ ସମସ୍ତେ ଭଲ ପାଆନ୍ତି । ତେଣିକି କୋଉଠି ପୋଲ ଭୁଷୁଡୁ, ରାସ୍ତାରୁ ପିଚୁ ଉଠୁ, ସେଥିରେ ଯାଏ ଆସେ କିଛି ନାହିଁ । ବାବୁମାନେ ଗୋଟିଏ ଘର କିଣିବା ପରେ ଆଉ ଗୋଟିଏ ଘର, ଗୋଟିଏ ଜମି କିଣିବା ପରେ ଆଉ ଜମି, ଏମିତି ସମ୍ପତ୍ତି ଆହରଣ କରିବାର ନିଶାରେ ସେମାନେ ଚୁର୍ ଥାଆନ୍ତି । ମାନସିକତା ନ ବଦଳିଲେ ଷଡଙ୍ଗୀ ବାବୁମାନେ ଏମିତି ସଂପତ୍ତି ଆହରଣ କରି ଚାଲିଥିବେ । ( ଅପୂର୍ବ କୁମାର ମହାନ୍ତି )

LEAVE A REPLY

Please enter your comment!
Please enter your name here