ଏକୋଇଶି ପୁରିଗଲା ବିଜୁ ଜନତା ଦଳକୁ. ଓଡିଶାର ରାଜନୀତିକ ଇତିହାସରେ ଆଞ୍ଚଳିକ ଦଳ ଭାବେ ନୂଆ ରେକର୍ଡ. ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଡିସେମ୍ବର ୨୬, ୧୯୯୭ରେ ପ୍ରତିଷ୍ଠା ଲାଭ କରିଥିବା ବିଜେଡି କେବଳ ୨୧ ବର୍ଷ ପୁରା କରିନି, ବରଂ ଗୋଟିଏ ରାଜନୈତିକ ଦଳ ଯେଉଁ ଉଦ୍ଦେଶ୍ୟରେ ଗଠନ ହୋଇଥାଏ, ସେସ୍ବପ୍ନକୁ ସାକାର କରିବାରେ ସମର୍ଥ ହୋଇଛି. ଓଡିଶାର ରାଜନୀତିକ ମାଟି ରେ ବହୁ ଆଞ୍ଚଳିକ ଦଳ ଗଠନ ହୋଇଛି. ସ୍ବାଧୀନତା ପରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ବରେ ଗଠନ ହୋଇଥିଲା ପ୍ରଥମ ଆଞ୍ଚଳିକ ଦଳ ଗଣତନ୍ତ୍ର ପରିଷଦ. ୧୯୫୨ରେ ପ୍ରଥମ ବିଧାନସଭା ନିର୍ବାଚନରେ ୧୪୦ ଆସନରୁ ୩୧ଟି ଆସନରେ ବିଜୟ ଲାଭ କରିଥିଲା. ୧୯୫୭ରେ ୫୧ ଟି ଆସନ ପାଇ ପ୍ରଭାବ ବିସ୍ତାର କରିଥିଲା. ପରବର୍ତ୍ତି ଅବସ୍ଥାରେ ଏହି ଦଳ ଜାତୀୟ ଦଳ ସ୍ବତନ୍ତ୍ର ପାର୍ଟିସହ ମିଶ୍ରଣ ହୋଇଥିଲା. ତେବେ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଗଣତନ୍ତ୍ର ପରିଷଦ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିଲା. ୧୯୬୭ ବିଧାନସଭା ନିର୍ବାଚନରେ ଆଉ ଗୋଟିଏ ଆଞ୍ଚଳିକ ଦଳ ଓଡିଶା ରାଜନୀତିକୁ ପରିପୁଷ୍ଟ କରିଥିଲା. ମତଭେଦ ଯୋଗୁ କଂଗ୍ରେସ ଛାଡି ଡକ୍ଟର ହରେକୃଷ୍ଣ ମହତାବ ଜନ କଂଗ୍ରେସ ନାଁରେ ଦଳ ଗଠନ କଲେ. ସେତେବେଳେ ଜନ କଂଗ୍ରେସ ଓ ସ୍ବତନ୍ତ୍ର ପାର୍ଟି ମିଳିତ ଭାବେ ସରକାର ଗଠନ କରିଥିଲେ. ୧୯୭୧ରେ ଓଡିଶାରେ ଆଉ ଗୋଟିଏ ନୂଆ ଆଞ୍ଚଳିକ ଦଳର ଆବିର୍ଭାବ ହୋଇଥିଲା. କଂଗ୍ରେସ ଛାଡି ବିଜୁ ପଟ୍ଟନାୟକ ଗଠନ କରିଥିଲେ ଉତ୍କଳ କଂଗ୍ରେସ. ସେତେବେଳେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନ ମିଳିବାରୁ ସ୍ବତନ୍ତ୍ର ପାର୍ଟି ସହ ମିଶି ଉତ୍କଳ କଂଗ୍ରେସ ସରକାର ଗଠନ କରିଥିଲା. ଅବଶ୍ୟ ମେଣ୍ଟ ସରକାର ବେଶୀ ଦିନ ତିଷ୍ଠି ପାରି ନଥିଲା. ପରବର୍ତ୍ତି ଅବସ୍ଥାରେ ଉତ୍କଳ କଂଗ୍ରେସ, ସ୍ବତନ୍ତ୍ର ପାର୍ଟି ଓ ସୋସିଆଲିଷ୍ଟ ମିଶି ଜନତା ପାର୍ଟି ଗଠନ କରିଥିଲେ ଏବଂ କ୍ଷମତା ହାସଲ କରିଥିଲେ. ୧୯୮୦ରୁ ୧୯୯୭ ଭିତରେ ଓଡିଶା ରାଜନୀତିରେ ଆଞ୍ଚଳିକ ଦଳର ପ୍ରଭାବ କିଛି ନଥିଲା. ୧୯୯୭ରେ ବିଜୁଙ୍କ ଦେହାନ୍ତ ପରେ ଜନତା ଦଳ ବିଭାଜିତ ହୋଇ ଗଠନ ହୋଇଥିଲା ବିଜୁ ଜନତା ଦଳ. ରାଜନୀତିର ଧାର୍ ଧାରୁ ନଥିବା ବିଜୁଙ୍କ ସାନପୁଅ ନବୀନଙ୍କୁ ନେତୃତ୍ବ ନେବା ପାଇଁ ବିଜୁ ଅନୁଗତ ନେତାମାନେ ନିମନ୍ତ୍ରଣ କଲେ. ଆଉ ନବୀନ ଓଡିଶା ପାଇଁ ପଲିଟିକାଲ ହିରୋ ପାଲଟିଗଲେ. ବିଜୁଙ୍କ ପରେ ଆସ୍କା ଲୋକସଭା ଉପନିର୍ବାଚନଠୁ ଆରମ୍ଭ କରି ଏଯାବତ ସେ ବିଜୟ ଧ୍ବଜା ଉଡାଇ ଚାଲିଛନ୍ତି. ଓଡିଶା ଭଳି ରାଜ୍ୟରେ ଆଞ୍ଚଳିକ ଦଳର ନେତୃତ୍ବ ନେଇ ସେ ଜାତୀୟସ୍ତରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି. ନବୀନ କିଛି ଜାଣିନାହାନ୍ତି ଏବଂ ବ୍ୟୁରୋକ୍ରାଟଙ୍କ ଉପରେ ନିର୍ଭରଶୀଳ ବୋଲି କହୁଥିବା ତାଙ୍କ ରାଜନୈତିକ ନିନ୍ଦୁକମାନଙ୍କୁ ସେ ଯଦିଓ କେବେ ବି କଟାକ୍ଷ କରିନାହାନ୍ତି, ମାତ୍ର ନିଜର କାର୍ୟ୍ୟଶୈଳୀରେ ସମସ୍ତଙ୍କୁ ଚୁପ୍ କରିବାରେ ସକ୍ଷମ ହୋଇଛନ୍ତି. ଉପରକୁ ଖୁବ୍ ନିରୀହ ଓ ଅପରିପକ୍ବ ବୋଲି ଦେଖାଯାଉଥିବା ନବୀନ ଯେ ରାଜନୀତିରେ ବେଶ୍ ଧୂରୀଣ, ଏକଥାକୁ ତାଙ୍କ ସମାଲୋଚକରମାନେ ବି ସ୍ବୀକାର କରନ୍ତି. ଗୋଟିଏ ସମୟରେ ରାଜନୀତିରେ ନିଜକୁ ଖୁବ୍ ପୋଖତ ମନେ କରୁଥିବା ବିଜୟ ମହାପାତ୍ର, ନଳିନୀକାନ୍ତ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରଫୁଲ୍ଲ ଘଡେଇ ଓ ଦାମୋଦର ରାଉତଙ୍କ ଭଳି ନେତାଏ ବି ପାଣି ପିଇଛନ୍ତି. ଅବଶ୍ୟ ଏକଥା ସତ ନବୀନଙ୍କ ଶାସନର ପ୍ରଥମ ଦଶନ୍ଧିରେ ସେ ଅବସରପ୍ରାପ୍ତ ଆଇଏଏସ ଅଫିସର ପ୍ୟାରୀମୋହନଙ୍କ ପରାମର୍ଶ ନେଉଥିଲେ ଏବଂ ପ୍ୟାରୀଙ୍କ ପରେ ଏବେ ତାଙ୍କ ସ୍ଥାନରେ ଆଇଏଏସ ଅଧିକାରୀ ପାଣ୍ଡିଆନ ପ୍ରଭାବ ବିସ୍ତାର କରିଛନ୍ତି. ମାତ୍ର ନବୀନଙ୍କ ନେତୃତ୍ବ ବିଷୟ ଆଲୋଚନା କଲାବେଳେ ପ୍ୟାରୀ ଓ ପାଣ୍ଡିଆନଙ୍କ ଚରିତ୍ରର ଗୁରୁତ୍ବ କିଛି ନାହିଁ. ନବୀନ ସୁପ୍ରିମୋ ଥିଲେ ଏବଂ ଏଇ ଏକୋଇଶି ବର୍ଷ ଭିତରେ ସେ ନିଜକୁ ସୁପ୍ରିମୋରୁ ସୁପର ସୁପ୍ରିମୋରେ ପରିଣତ କରିସାରିଛନ୍ତି. ଲୋକଙ୍କ ପାଖରେ ସେ ଅପ୍ରତିଦ୍ବନ୍ଦୀ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି. ନା ଦଳ ଭିତରେ ଅବା ଦଳ ବାହାରେ, ଏମିତି କେହି ନେତା ନାହାନ୍ତି, ଯିଏ ତାଙ୍କୁ ମୁକାବିଲା କରିବାରେ ସଫଳ ହୋଇଛନ୍ତି. ବରଂ ଏମିତି ଅବସ୍ଥା ଆସିଛି, ବିଧାନସଭା ଭିତରେ, ବାହାରେ ନବୀନଙ୍କୁ କଟୁ ସମାଲୋଚନା କରୁଥିବା ବିରୋଧୀ ଦଳ ନେତା ବି  ବିଜେଡିରେ ସାମିଲ ହୋଇଯାଇଛନ୍ତି. ଦଳରୁ ବିଦା ହୋଇଥିବା ନେତା ବି ପୁଣି ନବୀନଙ୍କ ପାଖକୁ ଯିବାକୁ ଗୋଡ ଟେକି ବସିଛନ୍ତି. କାହିଁକିନା ସେ ହେଉଛନ୍ତି ଏକୋଇଶି ବର୍ଷର ସର୍ଦ୍ଦାର. ଯେମିତି ସର୍ଦ୍ଦାର ଥିବା ଯାଏ ଆଉ କାହାର ରାଜ୍ ସମ୍ଭବ ନୁହେଁ.

LEAVE A REPLY

Please enter your comment!
Please enter your name here