ତାଲିବାନ ସେନା ଆଫଗାନିସ୍ଥାନ ଦଖଲ କରିନେବା ପରେ ଏବେ ବିଧିବଦ୍ଧ ଭାବେ ତାଲିବାନ ସରକାର ଗଠନ କରିବ । ତାଲିବାନର କୋ-ଫାଉଣ୍ଡର ମୁଲ୍ଲା ବାରଦାର୍ ଆଫଗାନିସ୍ଥାନରେ ନୂଆ ସରକାରର ନେତୃତ୍ବ ନେବେ । ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ୍ ଆଜି ଏ ସଂପର୍କରେ ଘୋଷଣା କରିବେ । ଗତ ଅଗଷ୍ଟ 15 ତାରିଖରେ ତାଲିବାନ କାବୁଲ ସହର ଦଖଲ କରିନେବା ପରେ ଦେଶର ବିଭିନ୍ନ ସ୍ଥାନରେ ବିଦ୍ରୋହର ସମ୍ମୁଖୀନ ହୋଇଥିଲା । ବିଶେଷକରି କାବୁଲର ଉତ୍ତରାଞ୍ଚଳ ପଞ୍ଝିର ଉପତ୍ୟକାରେ ତାଲିବାନଙ୍କୁ ପ୍ରଚଣ୍ଡ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ତାଲିବାନଙ୍କ କାବୁଲ ଦଖଲ ପେର ବିଭିନ୍ନ ଦେଶରୁ ଉନ୍ନୟନମୂଳକ ଯୋଜନାରେ ମିଳୁଥିବା ଅନୁଦାନ ବନ୍ଦ ହୋଇଯାଇଛି । ବିଭିନ୍ନ ରାଷ୍ଟ୍ର ସେମାନଙ୍କର ଦୂତାବାସ ବନ୍ଦ କରି ଆଫଗାନିସ୍ଥାନ ସହ ସଂପର୍କ ଛିନ୍ନ କରିଛନ୍ତି । ଏଭଳି ପରିସ୍ଥିତିରେ ଆଫଗାନିସ୍ଥାନର ଅର୍ଥନୈତିକ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡିପଡିଛି । ଆଫଗାନିସ୍ଥାନ ଦୁର୍ଭିକ୍ଷ ଭଳି ପରିସ୍ଥିତିର ସାମନା କରିବାକୁ ଯାଉଛି । ଲକ୍ଷ ଲକ୍ଷ ଆଫଗାନିସ୍ଥାନ ବାସିନ୍ଦା ନିଜ ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରୁଛନ୍ତି । ଏଭଳି ପରିସ୍ଥିତିରେ ତାଲିବାନ ସରକାର 1996 ରୁ 2001 ଭଳି କଠୋର ହେବ ନାହିଁ ବୋଲି ସୂଚନା ଦେଇଛି । ମାନବିକ ଅଧିକାରର ସୁରକ୍ଷା ଏବଂ ବିଦେଶୀ ନାଗରିକଙ୍କ ସୁରକ୍ଷା ନେଇ ତାଲିବାନ କର୍ତ୍ତୃପକ୍ଷ ଆଶ୍ବାସନା ଦେଇଛନ୍ତି । ଏହାସତ୍ତ୍ବେ ବି ତାଲିବାନ ସରକାର ଉପରେ ଏପର୍ଯ୍ୟନ୍ତ ବିଶ୍ବ ସମୁଦାୟ ଭରଷା କରିପାରୁନାହାଁନ୍ତି ।