ଶେଷ ହୋଇଛି ଧର୍ମ ମାସ କାର୍ତ୍ତିକ | ଆଜି ଛାଡ଼ଖାଇ | ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆମିଷ ବଜାରରେ ଦେଖିବାକୁ ମିଳିଛି ଲୋକଙ୍କ ପ୍ରବଳ ଭିଡ| ଏଥର ଯୋଗକୁ ଛାଡ଼ଖାଇ ବୁଧବାର ପଡ଼ିଥିବାରୁ ବିଭିନ୍ନ ଆମିଷ ଦୋକାନରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି | ସେପଟେ ଖାଉଟିଙ୍କ ଚାହିଦାକୁ ନଜରରେ ରଖି ବେପାରୀମାନେ ମନ ପସନ୍ଦର ଆମିଷ ନିଜ ନିଜ ଦୋକାନରେ ଗଛିତ କରି ରଖିଛନ୍ତି | ରାଜଧାନୀ ଭୁବନେଶ୍ୱରର ୟୁନିଟ୍ ୪ ମାଛ ବଜାର, ଡମଣା, ଚନ୍ଦ୍ରଶେଖରପୁର ଭଳି ବିଭିନ୍ନ ବଜାରରେ ଲୋକେ ମାଛ କିଣିବାକୁ ପହଞ୍ଚିଛନ୍ତି । ସେହିପରି କଟକ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଜୟପୁର ଭଳି ସହରରେ ବି ସକାଳୁ ସକାଳୁ ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଜମିଛି | ଅନ୍ୟ ଦିନ ଅପେକ୍ଷା ଆଜି ଆମିଷ ଚାହିଦା ଅଧିକ ଥିବାରୁ ଦର କିଛିଟା ଅଧିକ ରହିଛି । ଛାଡ ଖାଇରେ ମାଛ କିଲୋ ପ୍ରତି ପୂର୍ବରୁ ୧୪୦ ଥିବା ବେଳେ ଏବେ ୧୬୦ ଟଙ୍କା ରହିବ, ଚିକେନ ପୂର୍ବରୁ ୧୫୦ ଟଙ୍କା ଥିବା ବେଳେ ୧୮୦ରୁ ୨୦୦ ଟଙ୍କା ରହିବ ଓ ମଟନ ପୂର୍ବରୁ ୫୦୦ ଟଙ୍କା ରହିଥିବା ବେଳେ ୬୦୦ ଟଙ୍କା ଛୁଇଁବା ଅନୁମାନ କରାଯାଉଛି । ସେହିପରି ଆଜି ବିଭିନ୍ନ ହୋଟେଲ୍, ରେଷ୍ଟୋରାଣ୍ଟରେ ଲୋକଙ୍କ ଭିଡ଼ ବି ଦେଖିବାକୁ ମିଳିବ । ଯାହାକୁ ଆଖି ଆଗରେ ରଖି କିଛି ହୋଟେଲ୍‌ରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ ହୋଇଛି |

LEAVE A REPLY

Please enter your comment!
Please enter your name here