ଆଳୁ ଦର ଏଥର ରେକର୍ଡ ଭାଙ୍ଗିଦେଲା । ଖୁଚୁରାରେ ଲୋକେ ଆଳୁ କିଲୋ ଷାଠିଏ ଟଙ୍କାରେ କିଣିଲେ । ଗୋଦାମରେ ଆଳୁ ମହଜୁଦ ଥିଲେ ବି ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆସୁଥିବା ଆଳୁ ଟ୍ରକ ଅଟକାଉତିବା ଜଣାପଡିବା ପରେ ଆଳୁ ସଙ୍କଟ ଆହୁରି ବଢିଗଲା । ପଶ୍ଚିମବଙ୍ଗ ସରକାର ମଝିରେ ମଝିରେ ଏମିତି ଓଡିଶାକୁ ଆଳୁ ଝଟକା ଦେଇଥାନ୍ତି । ଓଡିଶାରେ ବିଜେପି ସରକାର ଆସିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଝଟକା ଦେଇ ପୁଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦେଖା କରି ସଙ୍କଟ ଟାଳିବାକୁ ପ୍ରୟାସ କରିଛନ୍ତି । ଓଡିଶାକୁ ଆସୁଥିବା ଆଳୁ ଟ୍ରକ ଅଟକାଇ ମମତା କେନ୍ଦ୍ର ସରକାରକୁ ନିଶାନା କରୁଛନ୍ତି । ମମତାଙ୍କ ଟାର୍ଗେଟରେ ଓଡିଶା କି ମୋହନ ମାଝୀ ନାହାନ୍ତି, ତାଙ୍କ ଆଳୁ ପଲିଟିକ୍ସରେ କେନ୍ଦ୍ର ସରକାର । ମୋହନଙ୍କ ମୋହନରେ ମମତା ବଶୀଭୂତ ହେବା ପରି ଲାଗୁନି । ବରଂ ମୋହନଙ୍କ ଉପରେ ଚାପ ପକାଇ ସେ କେନ୍ଦ୍ରୀୟ ନେତାଙ୍କ ସହ ମୂଲଚାଲ୍ କରିବା ଫର୍ମୁଲାରେ ଅଛନ୍ତି । ମମତାଙ୍କ ଆଳୁ ପଲିଟିକ୍ସରେ ଯଦିଓ ଓଡିଶାର ଲୋକେ ଚଢାଦରରେ ଆଳୁ କିଣୁଛନ୍ତି, କିନ୍ତୁ ମମତାଙ୍କ ଚଢା ମୂଲଚାଲ ବୁଝିବା ପାଇଁ ବିଜେପି ନେତାଙ୍କ ଆଗ୍ରହ ଉପରେ ଓଡିଶାର ଆଳୁ ଦର ନିର୍ଭର କରୁଛି । ତେଣୁ ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣ କରିବାରେ ମୋହନ ମାଝୀଙ୍କ ସରକାର ଯେତେ ଉଦ୍ୟମ କରିଥିଲେ ବି ସଙ୍କଟ ଟାଳିବାକୁ ସମର୍ଥ ହୋଇପାରିନାହାଁନ୍ତି । ବ୍ୟବସାୟୀଙ୍କ ପାଖରେ ଗୋଦାମରେ ଯେତିକି ଆଳୁ ମହଜୁଦ ରହିଛି, ତାକୁ ଉପଯୁକ୍ତ ମୂଲ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି । ଖାଦ୍ୟ ଯୋଗାଣ ବିଭାଗ ସ୍ଥିର କରୁଥିବା ଦରରେ ଆଳୁ ବିକିବାକୁ ବ୍ୟବସାୟୀ ନାରାଜ । ତେଣୁ ସେମାନଙ୍କ ପାଖରେ ଆଳୁ ମହଜୁଦ ଥିଲେ ବି ଖୁଚୁରା ବଜାରରେ ସଙ୍କଟ ଦେଖାଦେଇଛି । ଓଡିଶାର ଆଳୁ ଦର ଓଡିଶାରେ ନୁହେଁ, ନୂଆଦିଲ୍ଲୀରେ ସ୍ଥିର ହେବ ।

LEAVE A REPLY

Please enter your comment!
Please enter your name here