ଗତ 25 ତାରିଖରେ ମତଦାନ ଚାଲିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗାଯିବା ଘଟଣାରେ ଗିରଫ ହୋଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ତେବେ ଇଭିଏମ କିଏ ଭାଙ୍ଗିଲା, ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଦାବି ହେଉଥିବା ବେଳେ ଆଜି ସାଂସଦ ଅପରାଜିତା ଷଡଙ୍ଗୀ ସୋସିଆଲ ମିଡିଆରେ ସିସିଟିଭି ଫୁଟେଜ୍ ପୋଷ୍ଟ କରିଛନ୍ତି । ସିସିଟିଭି ଫୁଟେଜରେ ଯାହା ଦେଖାଯାଉଛି, ତାହା ଅତ୍ୟନ୍ତ ଚିନ୍ତାଜନକ । ଗଣତନ୍ତ୍ର ପାଇଁ ଲଜ୍ଜା । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରତି ବଡ ପ୍ରଶ୍ନବାଚୀ ।

ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବୁଥ୍ ଭିତରକୁ ପଶିଲା ବେଳକୁ ଭିତରେ ଶୃଙ୍ଖଳା ନାହିଁ । ଅନେକ ଲୋକ ହାଉଯାଉ ହେଉଛନ୍ତି ଏବଂ ପାଟିତୁଣ୍ଡ କରୁଛନ୍ତି । କିଛି ଲୋକ ଧାଡିରେ ଛିଡା ହୋଇଛନ୍ତି । ପ୍ରଶାନ୍ତ ଜଗଦ୍ଦେବ ପ୍ରଥମେ ଲୋକସଭା ଇଭିଏମରେ ଭୋଟ ଦେଇ ବିଧାନସଭା ଇଭିଏମ ପାଖକୁ ଯାଉଥିବା ବେଳେ ବଡ ଶବ୍ଦ ହେଉଛି । ଇଭିଏମଠୁ ଦୂରରେ ଥିବା ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ପତ୍ନୀ ଛିଡା ହୋଇ ରହିଥିବା ଦେଖିବାକୁ ମିଳୁଛି । ତେବେ ଇଭିଏମ କିଏ ଭାଙ୍ଗିଲା, ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁନି । କିନ୍ତୁ ଜଗଦ୍ଦେବ ଭୋଟ ଦେଉଥିବା ବେଳେ ଆଉ ଜଣେ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖିବାକୁ ମିଳୁଛି । ମାତ୍ର ବୁଥ୍ ଭିତରର ଦୃଶ୍ୟ ଯାହା, ସେଥିରୁ ବିଶୃଙ୍ଖଳାର ଚିତ୍ର ସ୍ପଷ୍ଟ ବାରି ହୋଇପଡୁଛି । ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକ୍ରମେ ପୋଲିସ ବିଜେପି ପ୍ରାର୍ଥୀ ଜଗଦ୍ଦେବଙ୍କୁ ଗିରଫ କରିବା ରାଜନୈତିକ ଅଭିସନ୍ଧିମୂଳକ ବୋଲି ବିଜେପି ଆରୋପ ଲଗାଇଛି । ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବି ସରକାରୀ ଷଡଯନ୍ତ୍ର ନେଇ ପ୍ରଶାସନ ଉପରେ ଖୁବ୍ ବର୍ଷିଛନ୍ତି ।

LEAVE A REPLY

Please enter your comment!
Please enter your name here