ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଓଡିଶାରେ ବଡ ରାଜନୀତିକ ଘଟଣା ଘଟିଛି । ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି । ଏ ନେଇ ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି । ଏହି ଖବର ନବୀନ ପଟ୍ଟନାୟକ ଦିଲ୍ଲୀରେ ଥିବା ବେଳେ ଶୁଣିବାକୁ ମିଳିଛି । ବିଜେଡି କାହାକୁ ସମର୍ଥନ କରିବ ? ଏନଡିଏ ପ୍ରାର୍ଥୀ କିମ୍ବା ବିରୋଧୀ ଇଣ୍ଡିଆ ମୋର୍ଚ୍ଚା ପ୍ରାର୍ଥୀ? ଏହି ପ୍ରଶ୍ନ ରାଜ୍ୟ କୁ ଛାଡ଼ି ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚାରେ ଥିଲା । କାରଣ, ୨୦୧୪ରୁ ବିଜେଡି ସର୍ବଦା ବିଜେପିଙ୍କ ସହିତ ରହିଛି ।ଏହା ପୂର୍ବରୁ ୱକଫ ବିଲ୍ ଉପରେ ଭୋଟିଂ ପାଇଁ ବିଜେଡି ନିଜର ସାଂସଦଙ୍କ ବିବେକ ଉପରେ ଛାଡିଥିଲା । ଏହାକୁ ନେଇ ବେଶ ଅପବାଦ ସହିଥିଲା ଦଳ । ତେଣୁ ଏହି ବିବେକାନୁମୋଦିତ ଭୋଟ୍ କଥାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ଚାଲିଥିଲା। କାରଣ ବିଜେଡି ଏକ ବିଚିତ୍ର ଦଳ ଏବଂ ତାର ମୁଖିଆ ମଧ୍ୟ ବଡ ବିଚିତ୍ର ରାଜନୈତିକ ବ୍ୟକ୍ତି । ଆଉ ଏବେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହୋଇ ବି ବିଜେଡି ଭୋଟିଂରୁ ବିରତ ରହି ପରୋକ୍ଷରେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ସମୟରେ ସେ ସାତଜଣ ରାଜ୍ୟସଭା ସାଂସଦଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ରଣନୀତି ବିଷୟରେ ଆଲୋଚନା କରିଥିଲେ । ଆଲୋଚନା ପରେ ନିର୍ଣ୍ଣୟ ହେଲା, ବିଜେଡି ଭୋଟିଂରୁ ବିରତ ରହିବ ।














