ମାହାଙ୍ଗା କୁସୁପୁର ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ହିଁ ପାଞ୍ଚଜଣଙ୍କୁ ହତ୍ୟା କରିଛି । ରିମାଣ୍ଡରେ ଥିବା ଶିବକୁ ନେଇ ପୋଲିସ ଆଜି ସିନ୍ ରିକ୍ରିଏଟ୍ କରିବା ପରେ ଏହି ସୂଚନା ଦେଇଛି । କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଅଶୋକ ବେହେରା ଦେଇଥିବା ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଶିବ ହିଁ ଏକମାତ୍ର ହତ୍ୟାକାରୀ । ଦୀର୍ଘଦିନ ଧରି ଶିବ ଓ ତା ବଡଭାଇ ଅଲେଖ ପରିବାର ମଧ୍ୟରେ ଜମିଜମାକୁ ନେଇ ଶତ୍ରୁତା ଲାଗି ରହିଥିଲା । ଏପରିକି ଉଭୟ ପରସ୍ପର ବିରୋଧରେ ଥାନାରେ ଦଶଟିରୁ ଅଧିକ ମାମଲା ରୁଜୁ କରିଥିଲେ । ଏହା ଭିତରେ ରେପ୍ ମାମଲା ମଧ୍ୟ ରହିଛି । ତେବେ ଶିବର ସ୍ତ୍ରୀ ଦେଇଥିବା ବୟାନ ଅନୁଯାୟୀ, ଦେଢଶୁରଙ୍କ ପରିବାର ସବୁବେଳେ ତାଙ୍କୁ ହଇରାଣ ହରକତ କରି ଆସୁଥିଲେ । ଘଟଣା ଦିନ ଶିବଙ୍କୁ ତାଙ୍କ ବଡଭାଇ, ଭାଉଜ ଓ ପୁତୁରା ଝିଆରୀ ମିଳିମିଶି ମାଡ ମାରିଥିଲେ । ଦୀର୍ଘବର୍ଷ ଧରି ବଡଭାଇ ପରିବାର ବିରୋଧରେ ଶିବ ଭିତରେ ରାଗ ହୁତୁ ହୁତୁ ହୋଇ ଜଳୁଥିଲା । ଗତ 11 ତାରିଖ ଦିନ ବଡଭାଇ ପରିବାର ଦ୍ବାରା ମାଡ ଖାଇବା ପରେ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲା ଶିବ । ସମସ୍ତେ ରାତିରେ ଶୋଇଯିବା ପରେ ସେ ଜଣଙ୍କ ପରେ ଜଣଙ୍କୁ ହାଣି ହତ୍ୟା କରିଥିଲା । ଆଜି ଶିବ ହତ୍ୟାକାଣ୍ଡର ପୁରା ଡେମୋ ଦେଖାଇଛି । ପ୍ରଥମେ ଭାଉଜ ଓ ଭାଇକୁ ହତ୍ୟା କରିବା ପରେ ପୁତୁରା ଓ ଝିଆରିଙ୍କୁ ମାରିଥିଲା । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି । ତେବେ ଫରେନସିକ୍ ରିପୋର୍ଟ ଆସିବା ପରେ ଆଉ କିଛି ତଥ୍ୟ ମିଳିବ ବୋଲି ପୋଲିସ ଆଶା କରିଛି ।

LEAVE A REPLY

Please enter your comment!
Please enter your name here