ହିନ୍ଦୁ ଭାବାବେଗକୁ ଆଘାତ ଦେଇଥିବାରୁ ବିଗ୍ ବି ଅମିତାଭ ବଚ୍ଚନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ମହାରାଷ୍ଟ୍ରର ବିଜେପି ବିଧାୟକ ଅଭିମନ୍ୟୁ ପାଓାର । ଲାଟୁର ଏସପି ନିଖିଲ ପିଙ୍ଗଲେଙ୍କ ନିକଟରେ କରିଥିବା ଅଭିଯୋଗରେ, ମେଗାଷ୍ଟାର ଅମିତାଭ ବଚ୍ଚନ ସୋନି ଟିଭିର କୌନ ବନେଗା କରୋଡପତି, କେବିସି ସୋ ରେ ଏମିତି ଏକ ପ୍ରଶ୍ନ ପଚାରିଥିଲେ, ଯାହା ହିନ୍ଦୁଙ୍କ ଧାର୍ମିକ ଭାବପ୍ରବଣତାକୁ ଆଘାତ ଦେଇଛି । କର୍ମବୀର ସ୍ପେସାଲ ଏପିସୋଡରେ ବଚ୍ଚନ ଏହି ପ୍ରଶ୍ନ ପଚାରିଥିବା ବେଳେ ହଟସିଟରେ ଥିଲେ ସମାଜସେବୀ ବେଜଓାଡା ଉଇଲସନ୍ ଓ ଅଭିନେତା ଅନୁପ ସୋନୀ । 6 ଲକ୍ଷ 40 ହଜାର ଟଙ୍କାର ପୁରସ୍କାର ପାଇଁ ଏହି ପ୍ରଶ୍ନ ପଚାରିଥିଲେ ଅମିତାଭ । ପ୍ରଶ୍ନଟି ଥିଲା, ଡିସେମ୍ବର 25, 1927ରେ ବାବାସାହେବ ଆମ୍ବେଦକର ଓ ତାଙ୍କ ଅନୁଗାମୀମାନେ କେଉଁ ଶାସ୍ତ୍ରକୁ ପୋଡିଥିଲେ । ଏହି ପ୍ରଶ୍ନର ଅପ୍ସନରେ ଥିଲା, ବିଷ୍ଣୁ ପୁରାଣ, ଭଗବତ୍ ଗୀତା, ଋକବେଦ, ମନୁସ୍ମୃତି । ଏହାର ଉତ୍ତରରେ ଅମିତାଭ କହିଥିଲେ, ପ୍ରାଚୀନ ହିନ୍ଦୁଶାସ୍ତ୍ର ମନୁସ୍ମୃତିରେ ଜାତିଗତ ଭେଦଭାବ ଓ ଅସ୍ପୃଶ୍ୟତା ସଂପର୍କରେ ଉଲ୍ଲେଖଥିବାରୁ ଏହାକୁ ଆମ୍ବେଦକର ଓ ତାଙ୍କ ଅନୁଗାମୀମାନେ ପୋଡିଥିଲେ । ତେବେ ଅମିତାଭ ବଚ୍ଚନ ଓ ସୋନି ଟିଭି ସଂସ୍ଥା ଏଭଳି ପ୍ରଶ୍ନ ଉଦ୍ଦେଶ୍ୟମୂଳକ ଭାବେ ପଚାରିଥିବା ଏବଂ କୋଟି କୋଟି ହିନ୍ଦୁ ଭାବାବେଗକୁ ଆଘାତ ଦେଇଥିବା ସେ ଅଭିଯୋଗ କରିଛନ୍ତି । କେବିସି ଭଳି ଲୋକପ୍ରିୟ ସୋ ରେ ଏଭଳି ପ୍ରଶ୍ନ ପଚାରିବା ପଛରେ ଥିବା ଉଦ୍ଦେଶ୍ୟ ଅତ୍ୟନ୍ତ ହୀନ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here