ଓଡିଶାରେ ବିଜେପିକୁ ଆଶାନୁରୁପ ସଫଳତା ମିଳିଲାନି. ତା ଭିତରେ ଆଠଟି ଲୋକସଭା ଆସନରେ ବିଜେପିର ବିଜୟ ଦଳର ପ୍ରଭାବ ଓ ପତିଆରା ବୃଦ୍ଧିକୁ ସ୍ପଷ୍ଟ କରୁଛି. ତେବେ ଆଠଟି ଲୋକସଭା ଆସନ ଭିତରେ ଭୁବନେଶ୍ବର ଲୋକସଭା ଆସନରେ ବିଜେପିର ବିଜୟ ସମସ୍ତଙ୍କୁ ଚକିତ କରିଛି. ଆଇଏଏସ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ଲୋକସଭା ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ. ଅନ୍ୟପକ୍ଷରେ ଭୁବନେଶ୍ବର ଲୋକସଭା ଆସନରୁ ଲଗାତାର ନିର୍ବାଚିତ ହୋଇଆସୁଥିବା ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବଦଳାଇ ବିଜେଡି ଅବସରପ୍ରାପ୍ତ ଆଇପିଏସ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା. ଭୁବନେଶ୍ବର ଆସନରେ ଆଇଏଏସ ଓ ଆଇପିଏସଙ୍କ ମଧ୍ୟରେ ଲଢେଇ ହେଉଥିବା ବେଳେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ. ଯଦିଓ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାତଟି ଯାକ ବିଧାନସଭା ଆସନ ମଧ୍ୟରୁ କୌଣସି ଗୋଟିକରେ ବିଜେପି ଜିତିବାକୁ ସକ୍ଷମ ହୋଇପାରିନି. ୬ଟି ବିଧାନସଭା ଆସନରେ ବିଜେଡି ଜିତିଥିବା ବେଳେ କଂଗ୍ରେସର ସୁର ରାଉତରାୟ ଜଟଣୀ ଆସନରେ ଜିତିଛନ୍ତି. କୌଣସି ବିଧାୟକ ଜିତି ନଥିବା ଲୋକସଭା ନିର୍ବାଚନମଣ୍ଡଳୀରେ ଅପରାଜିତାଙ୍କ ବିଜୟ ଭୋଟରଙ୍କ ଭୋଟ ବିଭାଜନକୁ ସ୍ପଷ୍ଟ କରିଛି. ଲୋକେ ବିଧାନସଭାରେ ବିଜେଡିକୁ ଓ ଲୋକସଭାରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ଦେଇଛନ୍ତି. ଅବଶ୍ୟ ବିଏମସି କମିଶନର ଭାବେ ହେଉ ଅବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ଅପରାଜିତା ଚାକିରୀରେ ଥିବା ବେଳେ ନିଜ ନିଷ୍ପତ୍ତି ପାଇଁ ଖୁବ୍ ଚର୍ଚ୍ଚାରେ ରହୁଥିଲେ. ତେଣୁ ଦଳ ଅପେକ୍ଷା ଲୋକେ ଏଠି ବ୍ୟକ୍ତିତ୍ବକୁ ପସନ୍ଦ କରିଥିବା କୁହାଯାଉଛି.