ଭୁବନେଶ୍ବର : ଗତ କିଛିଦିନ ଧରି ଚାଲିଥିବା ଘଟଣାକ୍ରମ ମୋହନ ସରକାର କେତେ ଦୁର୍ବଳ, ତାହା ପ୍ରମାଣିତ କରିବାରେ ଲାଗିଛି । ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଜେପି ନେତାମାନେ ମରଣାନ୍ତକ ମାଡ ମାରିବା ଘଟଣା ପରେ ଓଏଏସ ସଂଘର ଧର୍ମଘଟ ତିନିଦିନ ଧରି ଚାଲିଲାଣି । ରାଜ୍ୟସାରା ଓଏଏସ ବାବୁମାନେ ଧର୍ମଘଟରେ ସାମିଲ ହୋଇଛନ୍ତି । ବ୍ଲକ, ତହସିଲଠୁ ଜିଲ୍ଲା ହେଡକ୍ବାର୍ଟର ଯାଏଁ ସବୁ କାମ ଠପ୍ । ଓଏଏସ୍ ସଂଘ ସହ ସରକାରଙ୍କ ଆଲୋଚନା ଫେଲ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅପିଲ୍ ବି ଫେଲ୍ । ମାଡମରା ଘଟଣା ଅନ୍ତରାଳରେ ଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନ କରିବା ଯାଏଁ କାମରେ ଯୋଗ ଦେବେ ନାହିଁବୋଲି ରୋକଠୋକ୍ ଶୁଣେଇ ଦେଇଛନ୍ତି ବାବୁମାନେ । ଏବେ ବିଜେପି ନେତାମାନେ କହୁଛନ୍ତି, ଓଏଏସ ବାବୁମାନଙ୍କ ଧର୍ମଘଟ ପଛରେ ବିଜେଡି ନେତାମାନଙ୍କ ହାତ ରହିଛି । ଯଦି ବିଜେଡି ନେତାମାନେ ବାବୁମାନଙ୍କୁ ସରକାରଙ୍କ ବିରୋଧରେ ଉସୁକାଉଛନ୍ତି, ତେବେ ସରକାରଙ୍କ ପାଖରେ ବି ବ୍ରହ୍ମାସ୍ତ୍ର ଅଛି ନା । ସରକାର ଲାଗୁ କରୁନାହାଁନ୍ତି କାହିଁକି ? ଏସମା ଲାଗୁ କରି ଓଏଏସ ସଂଘ ଧର୍ମଘଟକୁ ବେଆଇନ ଘୋଷଣା କରିପାରିବେ ସରକାର । କାମରେ ଯୋଗ ଦେଉ ନ ଥିବା ଓଏଏସ ବାବୁମାନଙ୍କୁ ନିଲମ୍ବିତ କରିପାରିବେ ସରକାର । ମାତ୍ର ଏମିତି କିଛି ବି କରିବାକୁ ରାଜ୍ୟ ସରକାରଙ୍କର ସାହସ ଥିବା ପରି ଲାଗୁନି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁର୍ବଳ ନେତୃତ୍ବ ବାବୁମାନଙ୍କୁ ବଳ ଦେଉଛି । ମୋହନଙ୍କୁ କେହି ଡରୁ ନାହାଁନ୍ତି । ନା ତାଙ୍କ ଦଳର ନେତା, ବିଧାୟକ, ସାଂସଦ ଅବା ସରକାରୀ ବାବୁମାନେ । ବଡ ବିଚିତ୍ର ସରକାର ଚାଲିଛି ରାଜ୍ୟରେ । ଯାହାର ଭୟଙ୍କର ପରିଣାମ ରାଜ୍ୟବାସୀଙ୍କୁ ଭୋଗ କରିବାକୁ ପଡିବ ।

ଅପରିପକ୍ବ ନେତୃତ୍ବ ପାଇଁ ବର୍ଷ ଭିତରେ ଏମିତି ଅନେକ ଘଟଣା ଘଟିସାରିଲାଣି, ଯାହାର ଏକମାତ୍ର କାରଣ ଅପରିପକ୍ବ ନେତୃତ୍ବ । ଦଳର ନେତା, ବିଧାୟୟ ବି ଅନୁଭବ କଲେଣି, ରାଜ୍ୟରେ ବିଚିତ୍ର ସରକାର ଚାଲିଛି । ଜଣେ ଅନଭିଜ୍ଞ, ଅପରିପକ୍ବ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରଖି ରାଜ୍ୟ ଶାସନରେ ଯେଉଁ ଭାରସାମ୍ୟ ରଖିବାକୁ ଉଦ୍ୟମ କରିଥିଲେ ବିଜେପି ନେତୃତ୍ବ, ଏବେ ବର୍ଷକ ଭିତରେ ତାହା ଫେଲ୍ ମାରିଲାଣି । ଏବେଠୁ ନ ସୁଧାରିଲେ ରାଜ୍ୟ ସରକାରଙ୍କ ଅବସ୍ଥା ଆହୁରି ବିଗିଡିଯିବ ।