ପୁରୀ : ଟିକେ ଟିକେ ବିଳମ୍ବରେ ଚାଲିଥିଲା ରୀତିନୀତି । ସବୁ ଠିକ୍ ଠାକ୍ କରିବା ପାଇଁ ଅଣ୍ଟା ଭିଡିଥିଲା ପ୍ରଶାସନ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ସମସ୍ତେ ଅପେକ୍ଷା କରି ରହିଥିଲେ । ଭାବୁଥିଲେ ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଯିବ । ସବୁ କାର୍ଯ୍ୟ ଶୃଙ୍ଖଳାର ସହ ହୋଇଯିବ । ହେଲେ କାଳିଆର ବିଚିତ୍ର ଲୀଳା କିଏ ବୁଝିବ । ତିନି ରଥ କଣ, ଗୋଟିଏ ବି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲାନି । ସୂର୍ଯ୍ୟାସ୍ତ ପରେ ରଥଟଣା ହୁଏ ନାହିଁ ବୋଲି ଥିବା ନିୟମକୁ ବହୁ ଆଗରୁ ପ୍ରଶାସନ ଭାଙ୍ଗି ସାରିଥିବାରୁ ଏବର୍ଷ ବି ଲାଇଟ୍ ଲଗେଇ ରଥ ଟାଣି ନେବାକୁ ପ୍ରଶାସନ ଉଦ୍ୟମ କରିଥିଲା । ମାତ୍ର ଫେଲ୍ ମାରିଲା ପ୍ରଶାସନ । ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ପାଖରେ ପହଞ୍ଚିଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରୀଚି ଛକ ପାଖରେ ପହଞ୍ଚିଥିଲା । ରାତି ସାତଟା ପଇଁଚାଲିଶ ଯାଏଁ କାଳିଆର ରଥ ଟଣାଯିବା ଦୂରର କଥା, ହଲିଲା ନାହିଁ । ଶେଷରେ ବିଧି ରକ୍ଷା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ହାତେ ଟାଣିନେବା ପରେ ରଥଯାତ୍ରା ଆଜି ପାଇଁ ବନ୍ଦ ରଖାଯାଇଥିଲା । ଆସନ୍ତାକାଲି ସକାଳୁ ତିନିରଥ ଟଣାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ରଥଟଣାରେ ବିଳମ୍ବ ଏବଂ ସଂଧ୍ୟା ପରେ ରଥଟଣାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏଥର ଦେଢଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିବାରୁ ଭିଡ ନିୟନ୍ତ୍ରଣ କରାଯାଇପାରିଲା ନାହିଁ । ନନ୍ଦିଘୋଷ ରଥ କର୍ଡ ଭିତରେ ଅଧିକ ଲୋକ ରହିଯିବାରୁ ରଥ ଟଣାରେ ବାଧା ସୃଷ୍ଟି ହେଲା । ତେବେ ରଥଯାତ୍ରାରେ କୌଣସି ଅଘଟଣ ହୋଇନାହିଁ ଏବଂ ସଂଧ୍ୟାପରେ ରଥଟଣା ଯିବା କିଛି ନୂଆ କଥା ନୁହେଁ ବୋଲି କହିଛନ୍ତି । ଆସନ୍ତାକାଲି ରଥଟଣା ହେବ ।

LEAVE A REPLY

Please enter your comment!
Please enter your name here