କୋଉଠି ଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ? ଦୀର୍ଘଦିନ ପରେ ପଞ୍ଚାୟତ ଭୋଟ ପୂର୍ବରୁ ଶିକ୍ଷୟିତ୍ରୀ ମମିତା ମେହେର ପ୍ରସଙ୍ଗକୁ ପୁଣି ସତେଜ କରିଛି କଂଗ୍ରେସ । ପିସିସି ମୁଖପାତ୍ର ମନୋଜ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗତ 2021 ଅକ୍ଟୋବର 15 ତାରିଖର ରାୟପୁର ଏୟାରପୋର୍ଟର ସିସିଟିଭି ଫୁଟେଜ ରିଲିଜ କରିଛନ୍ତି । ସିସିଟିଭି ଫୁଟେଜରେ ମନ୍ତ୍ରୀ ଏକ ଟି ସାର୍ଟ ପିନ୍ଧି, ବ୍ୟାଗ୍ ଧରି ଯାଉଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ଅକ୍ଟୋବର 15 ରେ କୋଉଠି ଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ମମିତା ମେହେର ମାମଲାରେ ପୋଲିସ 2 ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦେଇଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିଟଚିଟ୍ ଦେଇଛି । ରାୟପୁର ଯାଇଥିବା ନେଇ ଦିବ୍ୟଶଙ୍କର ମିଶ୍ର ପୂର୍ବରୁ ମନା କରୁଥିଲେ । ହେଲେ ଦିବ୍ୟଶଙ୍କର ମିଶ୍ର ଅକ୍ଟୋବର 15 ତାରିଖରେ ରାୟପୁର ଯିବା ସହ ଚଣ୍ଡୀଗଡ଼ ଯାଇ 18 ତାରିଖରେ ରାୟପୁର ଦେଇ ଓଡିଶା ଫେରିଛନ୍ତି । ତାପରେ 19 ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଖୁ କିଆରିରୁ ଗିରଫ ହୋଇଛି । ଏଠାରେ ପ୍ରଶ୍ନ ଏହା ସଂଯୋଗ ନା ପ୍ରୟୋଗ । କଂଗ୍ରେସ ଦାବି କରୁଛି ଗୋବିନ୍ଦ ସାହୁ, ଦିବ୍ୟ ଶଙ୍କର ମିଶ୍ର ଏବଂ ମମିତା ମେହେରଙ୍କର କଲ ରେକର୍ଡ ଯାଞ୍ଚ କରନ୍ତୁ । ଏହି ଭିଡିଓରୁ ରାୟପୁରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଥିଲେ ବୋଲି ସ୍ପଷ୍ଟ ହେଉଛି । ପୋଲିସ ତଦନ୍ତରେ ମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here