ଖବର ପ୍ରସାରଣ ପରେ ବି ଚେତିଲେନି ସରକାର I ଫେରାର ହୋଇଗଲେ ନକଲି ଡାକ୍ତର I ଯୁକ୍ତ ଦୁଇ ପାଠ ପଢିଥିବା ବଙ୍ଗୀୟ ଯୁବକ କଲିକତାରୁ ଆସି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ପଂଚାୟତର କାଉଖିଆ ଗାଁରେ କରିଥିଲେ କ୍ଲିନିକ I ଗତ ଚାରିବର୍ଷ ଧରି ଚାଲିଥିଲା ନକଲି ଡାକ୍ତରଙ୍କ ଜନସେବା I ଏଲୋପାଥିକ ମେଡିସିନ ଓ ଇଂଜେକ୍ସନ ଦେଇ ଲୋକଙ୍କ ଚିକିତ୍ସା କରି ଆସୁଥିଲେ I ଏପରିକି ଇଂଜେକ୍ସନ ଦେବା ଆଗରୁ କିଛି ଅସୁବିଧା ହେଲେ ସେ ଦାୟୀ ରହିବେ ନାହିଁ ବୋଲି ଲୋକମାନଙ୍କୁ କହିଥାନ୍ତି ବୋଲି ସଫେଇ ଦେଇଥିଲେ I
ପ୍ରଦୀପ ଦା ନାଁରେ ପରିଚିତ ଏହି ବଙ୍ଗୀୟ ଯୁବକଙ୍କ ଡାକ୍ତରୀ ସେବା ସଂପର୍କରେ ଖବର ପ୍ରସାରଣ କରିବା ସହ ଆମେ ଭେଟିଥିଲୁ ଡ୍ଗଗ୍ସ ଇନସପେକ୍ଟର ଓ ସିଡିଏମଓଙ୍କୁ I ଜିଲ୍ଲାପାଳଙ୍କ ଅଫିସକୁ ବି ଯାଇଥିଲୁ I ନକଲି ଡାକ୍ତରଙ୍କ ବିରୋଧରେ ପଦକ୍ଷେପ ନିଆଯିବ କହି ଚୁପଚାପ୍ ବସି ପଡିଥିଲେ ସରକାରଙ୍କ ଏହି ବରିଷ୍ଠ ପଦାଧିକାରୀମାନେ I ବାସ୍, ପ୍ରଶାସନିକ ତତ୍ପରତା ବିଳମ୍ବ ହେଉଥିବାର ସୁଯୋଗରେ ଫେରାର ହୋଇଯାଇଛନ୍ତି ନକଲି ଡାକ୍ତର I
କେବଳ କାଉଖିଆ ନୁହେଁ, ବିଭିନ୍ନ ଉପାନ୍ତ ଅଞ୍ଚଳରେ ଅନେକ କ୍ବାକ୍ ମଧ୍ୟ ଲୋକଙ୍କୁ ଔଷଧ ଦେଉଛନ୍ତି ଏବଂ ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା I